ଭୁବନେଶ୍ୱର: କୋରାପୁଟ ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡ଼ା ଆଜି ଶତାଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ଗରଡ଼ାଙ୍କ ଏହା ହେଉଛି ଘର ବାହୁଡ଼ା ଏବଂ ବିଜେଡିରେ ତାଙ୍କ ଯୋଗଦାନ ଫଳରେ କୋରାପୁଟ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ।

Advertisment

ଶ୍ରୀ ଗରଡ଼ା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବିଜେପିର କାର୍ଯ୍ୟଶୈଳୀ, ନୀତିରେ ଅତିଷ୍ଠ ହୋଇ ମୁଁ ବିଜେପିରେ ଏକ ପ୍ରକାର କୋଣଠେସା ହୋଇ ରହିଥିଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲି।
ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ବିଜୟ କୁମାର ଦଳାଇ, କୋରାପୁଟ ନଗର ବିଜେପି ସାଧାରଣ ସମ୍ପାଦକ ଅମରେନ୍ଦ୍ର ସେଠୀ, କୋରାପୁଟ ନଗର ବିଜେପି ଯୁଗ୍ମ ସମ୍ପାଦକ ଅଖିଳ ପ୍ରସାଦ ମଲ୍ଲିକଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ୍‌ ହୋଇଥିଲେ। ଏହି ମିଶ୍ରଣ ପର୍ବରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଦିବ୍ୟଶଙ୍କର ମିଶ୍ର, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଝୀନ ହିକ୍‌କା, ପୂର୍ବତନ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ଓ କୋରାପୁଟ ମହିଳା ବିଜେଡି ପ୍ରଭାରୀ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।