ବିଜୟ, ଦିଲ୍ଲୀପଙ୍କ ବିଜେପି ଇନିଂସ୍‌ ଶେଷ : ଇସ୍ତଫା ଦେଲେ, ରହସ୍ୟରେ ରଖିଲେ

ବିଧାୟକ ପଦରୁ ବି ଇସ୍ତଫା ଦେଲେ ଦିଲ୍ଲୀପ, ବିଜୟଙ୍କ ସ୍ବୀକାର, ବିଜେପିରେ ଯୋଗଦାନ ଭୁଲ୍‌ ଥିଲା, ପରବର୍ତୀ ପଦକ୍ଷେପ ପାଇଁ ୧୫ ଦିନ ସମୟ ନେଲେ

ଭୁବନେଶ୍ବର : ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟଙ୍କ ଭଳି ବିଜେପିର ଦୁଇ ଜଣ ବରିଷ୍ଠ ନେତା ଆଜି ଏକାସାଙ୍ଗରେ ଦଳ ତ୍ୟାଗ କରିଛନ୍ତି। ଉଭୟଙ୍କ ସ୍ବାକ୍ଷର ଥିବା ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ପଠାଇ ଦିଆଯାଇଛି। ଶ୍ରୀ ରାୟ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଦିଲ୍ଲୀପଙ୍କ ଇସ୍ତଫାକୁ ବାଚସ୍ପତି ତୁରନ୍ତ ଗ୍ରହଣ କରିଛନ୍ତି ଏବଂ ମାତ୍ର କେଇ ଘଣ୍ଟା ମଧ୍ୟରେ ରାଉରକେଲା ବିଧାନସଭା ଆସନ ପ୍ରତିନିଧିତ୍ବ ଶୂନ୍ୟ ହୋଇଥିବା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ରାୟ ଉଭୟ ବିଧାୟକ ପଦ ଓ ଦଳରୁ ଦେଇଥିବା ଇସ୍ତଫା ସଂପର୍କରେ ଟ୍ବିଟ୍ ଯୋଗେ ଜଣାଇଛନ୍ତି।

ଏପଟେ ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପି ସହିତ ସମ୍ପର୍କ ସବୁଦିନ ପାଇଁ ତୁଟାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଉଭୟ ନେତାଙ୍କ ପରବର୍ତୀ ନିଷ୍ପତ୍ତି କଣ ହେବ, ତାହା ଏଯାଏ ଅସ୍ପଷ୍ଟ ରହିଛି। ଶ୍ରୀ ମହାପାତ୍ର ଡିସେମ୍ବର ୧୫ ଯାଏ ସମୟ ନେଇଛନ୍ତି।

ଆଗକୁ ରାଜ୍ୟ ରାଜନୀତିର ସମୀକରଣ ବଦଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଭବିଷ୍ୟବାଣୀ କଲେଣି। କେବଳ ସେତିକି ନୁେହଁ, ଉଭୟଙ୍କ ରାଜନୈତିକ କ୍ୟାରିଅରକୁ ନେଇ କଳ୍ପନାଜଳ୍ପନା ଆରମ୍ଭ େହାଇଯାଇଛି। ବିଜୟ ଓ ଦିଲ୍ଲୀପଙ୍କର ଘର ବାହୁଡା ହେବ କି? ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଥରେ ବିଜେଡିକୁ ନେବେ କି? ଆସନ୍ତା ୨୬ ତାରିଖରେ ପ୍ରତିଷ୍ଠା ଦିବସରେ ଉଭୟ ବିଜେଡିରେ ଯୋଗ ଦେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା କଣ ସତ? ଉଭୟ କଂଗ୍ରେସକୁ ଭରସା କରିବେନି ତ? ଏମିତି ଅନେକ ପ୍ରଶ୍ନ ଏବେ ସବୁ ମହଲରେ ଆଲୋଚନା ଲାଗି ଖୋରାକ ଯୋଗାଇଛି।

ଇସ୍ତଫା ପତ୍ର ଜରିଆରେ ଉଭୟ ନେତା ବାର୍ତା ଦେଇଛନ୍ତି ଯେ ରାଜ୍ୟ ସ୍ବାର୍ଥରେ ବିଜେପି ନାହିଁ। ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରଖନ୍ତି ନାହିଁ। ମହାନଦୀ ସମସ୍ୟା, ବ୍ରାହ୍ମଣୀ ସେତୁ, ଆଇଜିଏଚ୍ ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ରର ଓଡ଼ିଶା ଆଭିମୁଖ୍ୟ ନେଇ ଯେଉଁ ସନ୍ଦେହ ରହିଛି, ତାକୁ ବଳ ଦେଇଛନ୍ତି। ସେହିପରି ଆଇଓସିଏଲରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତ ମିଳିଲା ନାହିଁ ବୋଲି କହି ବେକାରି ପ୍ରସଙ୍ଗକୁ ଉଖାରିଛନ୍ତି।

କାହାର ନାମ ନ ନେଇ ଇସ୍ତଫା ପତ୍ରରେ କୁହାଯାଇଛି, ଦଳରେ ଯେଉଁମାନଙ୍କର ଅସ୍ତିତ୍ବ ନାହିଁ ସେମାନେ ଏବେ ବଡ଼ ବଡ଼ କଥା କହୁଛନ୍ତି । ନିର୍ବାଚନମଣ୍ଡଳୀରେ ସେମାନଙ୍କ ବିରୋଧରେ ଦଳ ଭୁଲ ଧାରଣା ସୃଷ୍ଟି କରିଥିଲା। ଦଳରେ ଅଦରକାରୀ ଆସବାବ ପତ୍ର ଭଳି ରହିବାକୁ ଚାହୁଁନାହୁଁ। କୌଣସି ପଦପଦବି, କ୍ଷମତା ପାଇଁ ସାଲିସ କରିବୁନି । ଦଳ ଅପେକ୍ଷା ଆମ ପାଇଁ ଆତ୍ମସମ୍ମାନ ଓ ରାଜ୍ୟ ସ୍ୱାର୍ଥ ଅଧିକ ଗରୁତ୍ୱପୂର୍ଣ୍ଣ ବିଜେପୁର ଉପନର୍ବାଚନରେ ବଡ଼ ବ୍ୟବଧାନରେ ହାରିବା ଅଧିକ ବାଧିଥିଲା। ପଞ୍ଚାୟତ ସ୍ତରରେ ସମସ୍ତ ଉପନିର୍ବାଚନରେ ଦଳ ହାରିଲା ବୋଲି ମଧ୍ୟ ଉଭୟ ନେତା େକ୍ଷାଭ ପ୍ରକଟ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦଳ ଛାଡିବା ନିଷ୍ପତ୍ତି ଚୂଡାନ୍ତ ହେବା ପରେ ଶ୍ରୀ ମହାପାତ୍ର ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଓ କନକ ବର୍ଧନ ସିଂହଦେଓଙ୍କ ସହିତ ଟେଲିଫୋନରେ କଥା ହୋଇ ଧନ୍ୟବାଦ ଜଣାଇଥିଲେ। ଆଜି ସକାଳୁ ଶ୍ରୀ ମହାପାତ୍ରଙ୍କ ନୂଆପଲ୍ଲୀ ବାସଭବନରେ ସକାଳ ୭ଟାରେ ଦିଲ୍ଲୀପ ରାୟ ପହଞ୍ଚିଥିଲେ ଓ ଦୀର୍ଘ ଏକ ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକ ପରେ ଉଭୟ ଇସ୍ତଫା ପ୍ରକ୍ରିୟା ଆରମ୍ଭ କରିଥିଲେ। ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ରାୟ ବିଦେଶ ଗସ୍ତରେ ଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଖବର ପାଇ ଶହ ଶହ ସମର୍ଥକ ଆଜି ବିଜୟଙ୍କ ଘରେ ପହଞ୍ଚିଥିଲେ। ଯଦିଓ ବିଜୟ ଏକ ଜାତୀୟ ଦଳରୁ ଇସ୍ତଫା ଦେଉଥିଲେ, ସମର୍ଥକ ବିଚଳିତ ହେବା ବଦଳରେ କିନ୍ତୁ ଖୁସିରେ କମ୍ପମାନ କରିଥିଲେ। ସ୍ଲୋଗାନବାଜି କରିଥିଲେ। ପରେ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ଅମିତ ଶାହଙ୍କୁ ଦିଆଯାଇଥିବା ଇସ୍ତଫା ପତ୍ରର ନକଲ ଗଣମାଧ୍ୟମଙ୍କୁ ଦେଇଥିଲେ। କହିଥିଲେ, ଗତ ୨ବର୍ଷ ହେଲାଣି ରାଜ୍ୟ ବିଜେପି ତାଙ୍କ ସହିତ ସଂପର୍କ ରଖିବାକୁ ଚାହୁଁନଥିଲା। ଦିଲ୍ଲୀପ ରାୟଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟକ୍ତିଗତ ଭାବେ କାହା ବିରୋଧରେ ସେ ଆଜି ଅଭିଯୋଗ କରିବାକୁ ଚାହାନ୍ତି ନାହିଁ। କନ୍ଧମାଳ ନିର୍ବାଚନ ଠାରୁ ଆରମ୍ଭ କରି ମହାନଦୀ, ଚାଷୀ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗରେ ତାଙ୍କ ଯେଉଁମାନେ ସମର୍ଥନ ଦେଇଛନ୍ତି, ଯେଉଁମାନେ ଆନ୍ଦୋଳନ, ବିଭିନ୍ନ ପଦକ୍ଷେପ କ୍ଷେତ୍ରରେ ଏକମତ ହୋଇଛନ୍ତି ସେମାନଙ୍କୁ ଧନ୍ୟବାଦ। ଯେଉଁମାନେ ବିରୋଧ କରି କଟୁ ମନ୍ତବ୍ୟ ଦେଇଛନ୍ତି, ତାଙ୍କୁ ବି ଧନ୍ୟବାଦ।

ଆଗାମୀ କାର୍ଯ୍ୟପନ୍ଥା କଣ ହେବ, ସେ ନେଇ କିନ୍ତୁ ବିଜୟ ସ୍ପଷ୍ଟ ଭାବେ କିଛି ନ କହି ବରଂ ସମସ୍ତଙ୍କୁ ପୁଣି ରହସ୍ୟକୁ ଠେଲି ଦେଇଛନ୍ତି। ଶ୍ରୀ ମହାପାତ୍ର କହିଥିଲେ, ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ସେ ନିର୍ବାଚନ ଲଢିବେ କି ନାହିଁ, ତାହା ମଧ୍ୟ ପରାମର୍ଶ କରିବା ପରେ ନିଷ୍ପତ୍ତି ନେବେ। ଦିଲ୍ଲୀପ କିନ୍ତୁ ନିର୍ବାଚନ ଲଢିବେ ନାହିଁ େବାଲି ସଙ୍କେତ ଦେଇଛନ୍ତି।

ତେବେ ବିଜେଡିରେ ତାଙ୍କର ଯୋଗଦାନ ପ୍ରସଙ୍ଗକୁ ସେ ରୋକଠୋକ ପ୍ରତ୍ୟାଖ୍ୟାନ କରିଥିଲେ। କହିଥିଲେ, ଏଯାଏ କେହି ତାଙ୍କ ସହିତ କଥା ହୋଇନାହାନ୍ତି। ଚର୍ଚ୍ଚାକୁ ଚର୍ଚ୍ଚା ବାଟରେ ରଖାଯାଉ। ୧୫ ଦିନ ପରେ ସେ ତାଙ୍କର ନିର୍ଣ୍ଣୟ ଶୁଣାଇବେ। ବର୍ତମାନ ଓଡ଼ିଶାର ରାଜନୀତି ପାଣିପାଗ ଅସ୍ପଷ୍ଟ ରହିଛି।

ବିଜେପିର କୌଣସି ନେତାଙ୍କ ସଂପର୍କରେ ପଦୁଟିଏ ନ କହିଲେ ବି ଶ୍ରୀ ମହାପାତ୍ରଙ୍କ ମତ ମନ୍ତବ୍ୟ ଅତ୍ୟନ୍ତ ଶାଣିତ ରହିଥିଲା। ସେ କହିଥିଲେ, ବିଜେପିର ମୁଖଶାଳା ଠାରୁ ମନ୍ଦିର ଛୋଟ। ଓଡ଼ିଶା ପ୍ରତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଜେପିର କେବେ ବି ଆନ୍ତରିକତା ବା ନିଷ୍ଠା ନଥିଲା। ଏପରିକି ଦଳ ପକ୍ଷରୁ ଯେଉଁ ମହାସଂଗ୍ରାମ ଆରମ୍ଭ ହୋଇଥିଲା, ତାର ସାରଥୀ ଥିଲେ ବି ତାଙ୍କୁ ରଥରୁ ଓହ୍ଲାଇ ଦିଆଯାଇଥିଲା। ଯେଉଁ ସବୁ ପ୍ରସଙ୍ଗ ଉଠାଇ ସେ ତାଙ୍କ ଇସ୍ତଫା ପତ୍ର ଲେଖିଛନ୍ତି, ସେସବୁ କ୍ଷେତ୍ରରେ ସେ ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ସ୍ବରାଷ୍ଟ୍ରମନ୍ତ୍ରୀ, ଅର୍ଥମନ୍ତ୍ରୀ, ଓଡ଼ିଶା ପ୍ରଭାରୀ ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ଥରେ ନୁହେଁ, ଏକାଧିକବାର ଆଲୋଚନା ହୋଇଛି। ହେଲେ କେଉଁଠାରେ ବି ସେମାନଙ୍କୁ ନ୍ୟାୟ ମିଳିନାହିଁ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ, ବିଜେପିର ମିସନ ୧୨୦କୁ ଆକଳନ କରିବା ବେଳେ ଦଳୀୟ ନେତୃତ୍ୱ ଭୁଲ୍ କରିଥିଲେ। ଅନୌପଚାରିକ ଆଲୋଚନା ବେଳେ ସମସ୍ତେ ଏହାକୁ ସ୍ୱୀକାର କରନ୍ତି। ତେବେ ୨୦୦୯ ନିର୍ବାଚନ ପୂର୍ବରୁ ତାଙ୍କର ବିଜେପିରେ ଯୋଗଦାନ ଅତ୍ୟନ୍ତ ତରବରିଆ ଓ ଭୁଲ ନିଷ୍ପତ୍ତି ଥିଲା ବୋଲି ଆଜି ଦଳ ଛାଡିବା ପୂର୍ବରୁ ବିଜୟ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର