ରାଜ୍ୟପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଲେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ

ମକା ବିଲରେ ବିଧାୟକ । ହାତରେ ରହିଛି କୀଟନାଶକ ମରା ସ୍ପ୍ରେ । ଚାଷୀଙ୍କ ମେଳରେ ରହି ନିଜେ ବିଧାୟକ ମକା କ୍ଷେତରେ ପଶିଲେ, କୀଟନାଶକ ମାରିବାକୁ ନିଜେ ସ୍ପ୍ରେ କଲେ । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ମକା ଚାଷୀଙ୍କ ପାଇଁ କାଳ ସାଜିଛି ରୋଗପୋକ । ଶହ ଶହ ହେକ୍ଟରର ମକା ଫସଲ ରୋଗ ପୋକର ଶିକାର ହେବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଏହିପରି ସମୟରେ ଚାଷୀଙ୍କୁ ସାନ୍ତ୍ୱନା ଦେଇଛନ୍ତି ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

ଚାଷୀଙ୍କ ପାଇଁ ଦୁର୍ଦ୍ଦିନରେ ପାଖରେ ଠିଆ ହେବା ସହିତ ରୋଗପୋକ ଦମନରେ ସରକାରୀ ସହାୟତା ନେଇ ଦାବି କରିଛନ୍ତି । ବିଧାୟକଙ୍କ ଠାରୁ ଏପରି ସହ ଯୋଗ ଦେଖି ଚାଷୀ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁରେ ଚଳିତ ବର୍ଷ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ଏହି ରୋଗପୋକ । ଅତିଶୀଘ୍ର ଚାଷୀଙ୍କ ପାଇଁ ରୋଗପୋକ ଦମନର ସହାୟକ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଉମରକୋଟ ବିଧାୟକ ।

ଗୋଟିଏ ପଟେ ଲଗାଣ ବର୍ଷାରେ ଚାଷୀ ବେହାଲ ହୋଇଥିବା ବେଳେ ଅନ୍ୟ ପଟେ ରୋଗ ପୋକରେ ହନ୍ତସନ୍ତ ହେଉଛନ୍ତି ମକା ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ତଥା ସଂପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାରେ । ସବୁଠାର ବଡ କଥା ହେଲା ଚାଷୀଙ୍କର ଏହି ଦୁର୍ଦ୍ଦିନରେ ସାଥୀ ହୋଇ ଠିଆ ହୋଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । କେବଳ ଯେ ଠିଆ ହୋଇଛନ୍ତି ତାହା ନୁହେଁ, ରାଜ୍ୟ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି ନିତ୍ୟାନନ୍ଦ । ଚାଷୀଙ୍କ ସହ ଏନେଇ ଆଲୋଚନା କରିବା ସହ ଚାଷୀଙ୍କ କାନ୍ଧରୁ ସ୍ପ୍ରେ ମେସିନ ନେଇ ନିଜେ ମଧ୍ୟ ଗଛରେ ସ୍ପ୍ରେ କରିଛନ୍ତି । ଏହା ସହିତ  ଅତି ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

ସମ୍ବନ୍ଧିତ ଖବର