ରାଜ୍ୟପାଳଙ୍କ ଠାରେ ଫେରାଦ ହେଲା ବିଜେପି ବିଧାୟକ ଦଳ, ଗୃହରେ ତରବରିଆ ଭାବେ ୬ଟି ବିଲ୍‌ ପାରିତ ନେଇ ଆଣିଲା ଅଭିଯୋଗ

ଭୁବନେଶ୍ବର: ବଜେଟ ଅଧିବେଶନ ସମୟରେ ଓଡ଼ିଶା ବିଧାନସଭାରେ ତରବରିଆ ଭାବେ ୬ଟି ବିଲ୍‌ ପାରିତ କରିଥିବା ନେଇ ବିଜେପି ବିଧାୟକ ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରେ ଆଜି ଫେରାଦ ହୋଇଛି ।  ଏହାକୁ ଫେରାଇ ଦେବା ସହ ପୁନଃବିଚାର କରିବାକୁ ବିଜେପି ରାଜ୍ୟପାଳଙ୍କ ଠାରେ ଦାବି କରିଛି। ବିଲକୁ ଗୃହରେ ଆଲୋଚନା ପରେ ପାରିତ କରିବାକୁ ବିଜେପି ଟିମ୍‌ କହିଛି। ରାଜ୍ୟପାଳଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ସୂଚନା ଦେଇଛନ୍ତି।

ବିଜେପି ନେତା କହିଛନ୍ତି ଯେ, ଗୃହରେ ମୁଖ୍ୟ ବିରୋଧୀ ଦଳକୁ ଅଣଦେଖା କରଯାଇ ଓ ନୀତି ନିୟମକୁ ହତ୍ୟା କରାଯାଉଛି। ଅଗଣତାନ୍ତ୍ରିକ ଭାବରେ ବିଭିନ୍ନ ବିଲ ପାସ କରାଯାଉଛି। ଏହା ବାସ୍ତବିକ ନିନ୍ଦନୀୟ ଘଟଣା। ବାଚସ୍ପତି ଗୋଟିଏ ପାର୍ଟିର ନିର୍ଦ୍ଦେଶ ଚାଲିବା ଭଳି ଲାଗିଲା। ବାଚସ୍ପତି ନିରପେକ୍ଷତା ଅବଲମ୍ବନ କଲେ ନାହିଁ, ଭବିଷ୍ୟତରେ ନିରପେକ୍ଷତା ଅଵଲମ୍ବନ କରିବା ଉଚିତ।

ଗତକାଲି ରାତିରୁ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳୁ ଧାରଣାରୁ ଉଠିବା ପରେ ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି | ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ  ବିଧେୟକ ପାରିତ ହେବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ ମୋର କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇଲେ ନାହିଁ । ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତ୍ବେ ମଧ୍ୟ ବାଚସ୍ପତି ଶୁଣିଲେନି । ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା । ବିନା ଦୋଷରେ ଆମେ ଦଣ୍ଡିତ ହେଇଛୁ ।

ଗତକାଲି ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ଖୋଦ ବାଚସ୍ପତି ଦାୟୀ । ବିଜେଡିର ଖେଳନା ଭଳି କାମ କରୁଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ପ୍ରଦୀପ୍ତ । ବିରୋଧୀଙ୍କ କଥା ଶୁଣିବାକୁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ବାଧ୍ୟ କିନ୍ତୁ ବିଧାନସଭାରେ ତାହାର ବ୍ୟତିକ୍ରମ ହେଉଛି । ବିଧାନସଭା ଯେମିତି ନ ଚାଲୁ ତାହା ଚାହୁୁଁଛନ୍ତି ଶାସକ ଦଳ, କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ବଦନାମ ହେବାର ଭୟ ଥିବାରୁ ଏଭଳି କରୁଛନ୍ତି । ତେଣୁ ପାରିତ ହୋଇଥିବା ବିଲ୍ ବାବଦରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବୁ । ଏପରିକି ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିବାରୁ ଏହାକୁ ମଞ୍ଜୁରୀ ନ ଦେବାକୁ କହିବୁ ବୋଲି କହିଛନ୍ତି ପ୍ରଦୀପ୍ତ ।

ସମ୍ବନ୍ଧିତ ଖବର