ଗୃହ କାର୍ଯ୍ୟରେ ଭାଗ ନେଲେନି ବିଜେପି ବିଧାୟକ, କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଦିନ ସାରା ବସିଲେ, ଯେତେ‌ ବୁଝାଇଲେ ବି ବୁଝିଲେନି

ଭୁବନେଶ୍ବର : ବିଧାନସଭାରେ ବିଜେପି ବିଧାୟକମାନଙ୍କ ପ୍ରତିବାଦ ଜାରି ରହିଛି। ଗତକାଲି ପରି ଆଜି ମଧ୍ୟ ସେମାନେ ଗୃହର କୌଣସି ଆଲୋଚନାରେ ଭାଗ ନେଇ ନ ଥିଲେ। ଗତକାଲି ଗୃହ ଭିତରେ ଦିନତମାମ ନିରବରେ ବସି ରହିଥିଲା ବେଳେ ଆଜି ଗାନ୍ଧୀ ମୂର୍ତ୍ତି ତଳେ ବସିଥି‌େଲ। ବେକରେ ସେମିତି କଳା ଗାମୁଛା ପଡ଼ିଥିଲା। ବାଚସ୍ପତିଙ୍କ ଅନୁରୋଧ, ଶାସକ ଦଳ ମୁଖ୍ୟ ସଚେତକ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଆଲୋଚନା କିଛି କାମ ଦେଲାନି।

ଆଜି ପୂର୍ବାହ୍ନରେ ଗୃହ ଭିତରକୁ ବିଜେପି ବିଧାୟକମାନେ କଳା ଗାମୁଛା ବେକରେ ପକାଇ ଆସିଥିଲେ। ପ୍ରଶ୍ନକାଳ ଆରମ୍ଭ ହେଲା ପରେ ସେମାନେ ଠିଆ ହୋଇ ରହିଲେ। ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁ‌େରାଧ କରି ପ୍ରଶ୍ନୋତ୍ତର ଆରମ୍ଭ କଲେ। କିନ୍ତୁ ବିଧାୟକମାନେ ବସି ନ ଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅନୁପସ୍ଥିତ ଥିଲେ। ବାଚସ୍ପତି ସେମାନଙ୍କୁ ପୁଣି ବସିବା ପାଇଁ ବାରମ୍ବାର ଅନୁରୋଧ କଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ ଯେ ଆପଣ ତ ଆମକୁ କହିବା ପାଇଁ ସୁଯୋଗ ଦେଉ ନାହାନ୍ତି। ଗତକାଲି ଆପଣଙ୍କ ଅନୁରୋଧ ରକ୍ଷା କରି ବସିଥିଲୁ। କିନ୍ତୁ ଆପଣ ଆମ କଥା ଶୁଣିଲେ ନାହିଁ। ଆଜି କାହିଁକି ବସିବୁ ? ବାଚସ୍ପତି କହିଥିଲେ, ଆପଣମାନେ ବସନ୍ତୁ, ଆଲୋଚନାରେ ଭାଗ ନିଅନ୍ତୁ। କିନ୍ତୁ ବିଜେପି ବିଧାୟକମାନେ ଶୁଣି ନ ଥିଲେ।

୧୨ ମିନିଟ୍‌ ପରେ ଅର୍ଥାତ ୧୦ଟା ୪୨ରେ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ତାହା ପରେ ସେମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ବ୍ୟାନର୍‌ ପ୍ରଦର୍ଶନ କରି ଧାରଣାରେ ବସିଥିଲେ। ବିରୋଧୀ ଦଳ ଉପନେତା ଶ୍ରୀ ସେଠୀ କହିଲେ ଯେ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ଆମେ ବିରୋଧ କରୁଛୁ। ଯେଉଁ ଅତିଥି ଭବନରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା, ତାହା ୨୦୧୮ ମସିହାରୁ ଉଚ୍ଛେଦ ହୋଇଛି ବୋଲି ସରକାରୀ ରେକର୍ଡ କହୁଛି। କିନ୍ତୁ ପରେ ସେହି ଅତିଥି ଭବନ ଚାଲୁଥିଲା କିପରି। ଘଟଣାଟିକୁ ଚପାଇବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କିନ୍ତୁ ବିଧାନସଭାରେ ବାଚସ୍ପତି ଆମ ମତ ରଖିବା ପାଇଁ ସୁଯୋଗ ଦେଉ ନାହାନ୍ତି। ସେଥିପାଇଁ ଆମର ପ୍ରତିବାଦ ଜାରି ରହିବ।

ବିଜେପି ବିଧାୟକମାନଙ୍କୁ ବୁଝାଇ ଗୃହକୁ ଆଣିବା ପାଇଁ ପ୍ରଶ୍ନକାଳ ପରେ ବାଚସ୍ପତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କହିଲେ। ଶ୍ରୀମତୀ ମଲ୍ଲିକ ଧାରଣା ସ୍ଥଳକୁ ଯାଇ ସେମାନଙ୍କୁ ଡାକିଥିଲେ ବି ଗୃହ ଭିତରକୁ ଯିବାକୁ ବିଧାୟକମାନେ ରୋକ୍‌ଠୋକ୍ ମନା କରି ଦେଇଥିଲେ। ଅପରାହ୍ନରେ ବାଚସ୍ପତି ପୁଣି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବିଜେପି ବିଧାୟକମାନଙ୍କୁ ବୁଝାଇ ଗୃହକୁ ଆଣିବା ପାଇଁ ପଠାଇଲେ। ଉଭୟ ମନ୍ତ୍ରୀ ବାହାରକୁ ଯାଇ ସେମାନଙ୍କୁ ବୁଝାଇଥିଲେ ବି ସେମାନେ ଯିବାକୁ ମନା କରିଦେଇଥିଲେ। ଏ ସମ୍ପର୍କରେ ଶ୍ରୀ ଆରୁଖ ଗୃହରେ ଆସି ଅବଗତ କରାଇଥିଲେ।

କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ ଯେ ବିଧାନସଭାରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଆଲୋଚନା ହେବାର ଅଛି। ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ସଭ୍ୟମାନେ ଉପସ୍ଥିତ ରହିବା ନିହାତି ଦରକାର। ବିଜେପି ସଭ୍ୟମାନେ ଗୃହକୁ ଫେରି ଆସିବା‌ ପାଇଁ କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କ ଜରିଆରେ ଅନୁରୋଧ କରାଯାଉଛି। ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ମୁଖ୍ୟ ବିରୋଧୀ ଦଳ ଅନୁପସ୍ଥିତିରେ କୌଣସି ବିଧେୟକ ଉପରେ ଗୃହ ଆଲୋଚନା କରାଯାଏନି। ବିନା ବିରୋଧୀ ଦଳରେ ବିଧେୟକ ଗୃହୀତ ହେବାର ନଜିର ନାହିଁ। ଆଜି ଆଲୋଚନା ହେଉଥିବା ବିଧେୟକ ଏତେ ଜରୁରୀ ନୁହେଁ ‌େଯ ଆଜି ଗୃହୀତ ହେବା ଦରକାର। ଦୁଇ ଦିନ ଘୁଞ୍ଚିଗଲେ କିଛି ଅସୁବିଧା ନାହିଁ। ବିଜେପି ସଭ୍ୟମାନଙ୍କୁ ଗୃହକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉ।

କିନ୍ତୁ ବାଚସ୍ପତି କହିଥିଲେ, ବିଧେୟକ ଉପରେ ଆଲୋଚନା ଜାରି ରହୁ। ମୁଁ ସୋମବାର ଦିନ ବିଜେପି ବିଧାୟକମାନଙ୍କ ସହ କଥା ହେବି।

ସମ୍ବନ୍ଧିତ ଖବର