ଗୃହକୁ ଫେରିଲେ ବିଜେପି ବିଧାୟକ

ବାଚସ୍ପତିଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲେ
ତାଚ୍ଛଲ୍ୟ କଲେ ତାରା- ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଗଲା ନା ଡିଲ୍‌ ହୋଇଗଲା?

ଭୁବନେଶ୍ବର : ଶେଷରେ ବିଜେପି ବିଧାୟକମାନେ ଗୃହକୁ ଫେରିଛନ୍ତି। ଲଗାତର ଦୁଇ ଦିନ ଧରି ବାଚସ୍ପତିଙ୍କ ଅନୁରୋଧ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବୁଝାସୁଝା ପରେ ବିଧାୟକମାନେ ଆଜି ଅପରାହ୍ନରେ ଗୃହକୁ ଆସିଥିଲେ। କିନ୍ତୁ ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ ଉଠାଇବା ପରେ ବାଚସ୍ପତି ତାଙ୍କୁ ଅଧିକ କହିବାକୁ ସୁଯୋଗ ଦେଇ ନ ଥିଲେ। ଗୃହକୁ ଫେରିବା ପୂର୍ବରୁ ପୂର୍ବାହ୍ନରେ ବିଜେପି ସଭ୍ୟମାନେ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେଇଥିଲେ।

୧୫ ତାରିଖରେ ବିଜେପି ସଭ୍ୟମାନେ ମୁହଁରେ କଳା ପଟି ବାନ୍ଧି ଗୃହକୁ ଆସିଥିଲେ। ବାଚସ୍ପତିଙ୍କ ଅନୁରୋଧ ପରେ ସେମାନେ କଳାପଟି ଖୋଲି ଦେଇଥିଲେ ବି ଗୃହରେ ନିରବରେ ବସି ରହିଲେ। କୌଣସି ଆଲୋଚନାରେ ଭାଗ ନେଇ ନ ଥିଲେ। ୧୬ ତାରିଖରେ ବିଜେପି ସଭ୍ୟମାନେ ଗୃହକୁ ଆସିଥିଲେ ବି ସେମାନଙ୍କୁ କହିବାର ସୁଯୋଗ ଦିଆଯାଉ ନ ଥିବା ପ୍ରତିବାଦରେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଦିନତମାମ ଧାରଣା ଦେଇଥିଲେ।

ଆଜି ମଧ୍ୟ ସକାଳୁ ବିଜେପି ସଭ୍ୟମାନେ ଗୃହକୁ ନ ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ମଧ୍ୟାହ୍ନରେ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ରାଜ୍ୟ ସରକାର ଓ ବାଚସ୍ପତିଙ୍କ ବିରୋଧରେ ଫେରାଦ ହୋଇଥିଲେ। ବିରୋଧୀ ଦଳ ପ୍ରଦୀପ୍ତ ନାଏକ ଜଣାଇଥିଲେ, ସ୍ମିତାରାଣୀ ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡ଼ଯନ୍ତ୍ର ବିରୋଧରେ ବିଜେପି ବିଧାୟକମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ। ଯେଉଁ ଷଡ଼ଯନ୍ତ୍ରକୁ ରୂପେଶ ଭଦ୍ର ଓ ବିଜେଡିର ନେତାମାନେ ଆରମ୍ଭ କରିଥିଲେ, ସେଥିରେ ଜିଲ୍ଲା ଏସ୍‌ପି, ମହିଳା କମିସନ୍‌ ଅଧ୍ୟକ୍ଷ ଓ ଶେଷରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସାମିଲ ହେଲେ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ବିଜେପି ବିଧାୟକମାନେ ଗତ ୩ ଦିନ ହେଲା ନିରବ ପ୍ରତିବାଦ କରି ଆସୁଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ବିରୋଧୀ ଦଳର ଅନୁପସ୍ଥିତିରେ ବାଚସ୍ପତି ଗୃହ ଚଳାଇ ଆସୁଛନ୍ତି। ବାଚସ୍ପତି ପକ୍ଷପାତିତା କରୁଛନ୍ତି ଓ ମୁଖ୍ୟ ବିରୋଧୀ ଦଳକୁ ଗୃହରେ କହିବା ପାଇଁ ସୁଯୋଗ ଦେଉ ନାହାନ୍ତି।

ଏପଟେ ବିଜେପି ବିଧାୟକମାନଙ୍କ ସହ ଆଲୋଚନା କରିବା ପାଇଁ ବାଚସ୍ପତି ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଆରୁଖ ସେମାନଙ୍କ ସହ ଆଲୋଚନା କରି ଗୃହକୁ ଫେରିବା ପାଇଁ ଅନୁରୋଧ କରିଥିଲେ। ଅପରାହ୍ନ ୪ଟା ୧୮ରେ ବିଜେପି ସଭ୍ୟମାନେ ଗୃହକୁ ଆସିଥିଲେ। ଏହା ପରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ବିଜେପି ସଭ୍ୟମାନଙ୍କୁ ଗୃହକୁ ଫେରାଇ ଅଣାଯାଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ସହ ତାଛଲ୍ୟ କରି କହିଥିଲେ, ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ସଭ୍ୟମାନେ ଅଡ଼ି ବସିଥିଲେ। ବାଚସ୍ପତି ସିବିଆଇ ତଦନ୍ତ ନିର୍ଦ୍ଦେଶ ‌ଦେଲେ ନା କିଛି ଡିଲ୍‌ ହୋଇଗଲା ? ସେ ଆହୁରି କହିଥ‌ିଲେ, ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବା ପାଇଁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ପାଇଁ ସମୟ ମଗାଯାଇଥିଲା, କିନ୍ତୁ ସମୟ ମିଳିଲାନି। ଏବେ ବି‌େରାଧୀ ଦଳ ନେତା ଓ ବିଜେପି ସଭ୍ୟମାନେ ଏ ଦିଗରେ କେନ୍ଦ୍ରରେ ଉଦ୍ୟମ କରିବା ଆବଶ୍ୟକ।

ଅପରାହ୍ନ ୪ଟା ୪୬ରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିବା ପାଇଁ ଉଠି‌‌ଲେ। ବା‌ଚସ୍ପତି ତାଙ୍କୁ ସୁଯୋଗ ଦେଇଥି‌େଲ। ଶ୍ରୀ ନାଏକ କହିଲେ, ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆମେ ସ୍ମିତାରାଣୀ ହତ୍ୟା ପ୍ରସଙ୍ଗରେ କହିବାକୁ ଚାହୁଁଥିଲୁ। କିନ୍ତୁ ବାଚସ୍ପତି ଆମକୁ ସୁଯୋଗ ଦେଲେନି। ବାଧ୍ୟ ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲୁ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଧାନସଭା ଅଧିବେଶନ ବସୁଛି। ଯଦି ଏଠି ଲୋକଙ୍କୁ ନ୍ୟାୟ ନ ମିଳିବ, ତେବେ କେଉଁଠାରୁ ମିଳିବ ? ଜଣେ କର୍ତ୍ତବ୍ୟରତ ମହିଳା କର୍ମଚାରୀଙ୍କୁ ହତ୍ୟା କରାଗଲା। ଯଦି ସେ ଆତ୍ମହତ୍ୟା କରିଥିଲେ, ତେବେ ପୁଲିସକୁ ସୂଚନା ନ ଦେଇ ଅଭିଯୁକ୍ତ ରୂପେଶ ଭଦ୍ର ଫଟୋ ଉଠାଇଲା କିପରି ? ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ସମିତି ସଭ୍ୟ ଓ ରାମ୍‌କୋ କର୍ମଚାରୀଙ୍କୁ ପୁଲିସ ଜେରା କଲା ନାହିଁ। ସେମାନେ କ’ଣ ଏତେ କ୍ଷମତାଶାଳୀ ? ଯାଜପୁର ଏସ୍‌ପି ମୃତ ସ୍ମିତାରାଣୀଙ୍କ ଚରିତ୍ର ସଂହାର କଲା ପରେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।

ଶ୍ରୀ ନାଏକ କହୁଥିଲା ବେଳେ ବାଚସ୍ପତି ହସ୍ତକ୍ଷେପ କରି କହିଲେ, ଏ ସମ୍ପର୍କରେ ପୂର୍ବରୁ ଆଲୋଚନା ହୋଇଛି। ଆଉ ଆଲୋଚନା କରିବାର ଆବଶ୍ୟକ ନାହିଁ। ଏତିକି କହି ୪ଟା ୫୦ରେ ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ବିଜେପି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ବାଚସ୍ପତି ଚାହୁଁ ନାହାନ୍ତି ସ୍ମିତାରାଣୀଙ୍କ ହତ୍ୟା ବିଷୟ ଗୃହରେ ରେକର୍ଡ ହେଉ। ସରକାରଙ୍କୁ ବଞ୍ଚାଇବା ପାଇଁ ସେ ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବା ପାଇଁ ଦେଉ ନାହାନ୍ତି। ଆଜି ବି ବିରୋଧୀ ଦଳ ନେତା କହୁଥିବା ବେଳେ ବାଚସ୍ପତି ଗୃହକୁ ମୁଲତବୀ କଲେ। ବାଚସ୍ପତିଙ୍କ ଏହି ଅନ୍ୟାୟ ଚଳିବ ନାହିଁ। ବିଜେପି ବିଧାୟକମାନେ ସ୍ମିତାରାଣୀ ପ୍ରସଙ୍ଗ, ଧାନକିଣା ଅନିୟମିତତା ଆଦି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇବେ।

ସମ୍ବନ୍ଧିତ ଖବର