ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିଜେପି ବିଧାୟକବୃନ୍ଦ: ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉ

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳ ତଥା ଆଦିବାସୀବହୁଳ ଅନୁନ୍ନତ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଜେପି ବିଧାୟକବୃନ୍ଦ। ଏହି ପ୍ରସଙ୍ଗରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି।

ପତ୍ରରେ ବିଧାୟକମାନେ ଦର୍ଶାଇଛନ୍ତି, ରାଜ୍ୟର ଗ୍ରାମାଞ୍ଚଳରେ ଥିବା ସବ୍‌ସେଣ୍ଟର୍‌ / ପିଏଚ୍‌ସି / ପିଏଚ୍‌ସି (ନୂତନ) / ସିଏଚ୍‌ସିଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରି ‘ଡୋର୍‌ ଟୁ ଡୋର୍‌’ ବ୍ୟାପକ ଟେଷ୍ଟିଂ ଓ ଟ୍ରେସିଂର ବ୍ୟବସ୍ଥା କରାଯାଉ। ରାଜ୍ୟରେ ସିଏଚ୍‌ସିଗୁଡ଼ିକରେ ଗ୍ରାମାଞ୍ଚଳର କୋଭିଡ୍ ସଂକ୍ରମିତଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ପାଇଁ ଅତି କମ୍‌‌ରେ ୨୦ଟି ଶଯ୍ୟାର ବ୍ୟବସ୍ଥା କରି ଆବଶ୍ୟକ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ନିୟୋଜିତ କରାଯାଉ। ଜିଲ୍ଲାସ୍ତରୀୟ କୋଭିଡ୍ କେୟାର ସେଣ୍ଟର୍‌ କେବଳ ଶଯ୍ୟା କିଣାରେ ସୀମିତ ନ ରହି ଆବଶ୍ୟକ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ। ବିଳମ୍ବ ନ କରି ଅକ୍ସିଜେନ, ଭେଣ୍ଟିଲେଟରଯୁକ୍ତ ଶଯ୍ୟା ଓ ଆଇସିୟୁ ଯୁକ୍ତ ଶଯ୍ୟାର ବ୍ୟପକତାକୁ ପ୍ରାଥମିକତା ଦିଆଯାଉ। ଭେଣ୍ଟିଲେଟର ଅପରେଟର, ଅକ୍ସିଜେନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ବୈଷୟିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି କରାଯାଉ। ଗ୍ରାମାଞ୍ଚଳରେ ଖାଲି ପଡ଼ିଥିବା ଡାକ୍ତର ପଦବି ତୁରନ୍ତ ପୂରଣ କରାଯାଉ। ଗ୍ରାମାଞ୍ଚଳରେ କୋଭିଡ୍ ଭୂତାଣୁରେ ସଂକ୍ରମିତ ବହୁ ପରିବାରରେ ସଙ୍ଗରୋଧରେ ରହିବାର ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ପଞ୍ଚାୟତ ସ୍ତରରେ କାର୍ଯ୍ୟକ୍ଷମ ନ ଥିବା ଟିଏମ୍‌ସି ଏବଂ ସଂଗରୋଧ ଗୃହକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ। ଗ୍ରାମ / ପଞ୍ଚାୟତ ସ୍ତରରେ ସ୍ଥାନୀୟ ଲୋକପ୍ରତିନିଧି / ଏନ୍‌ଜିଓ / ସ୍ୱାସ୍ଥ୍ୟକର୍ମୀ ଆଦି ବ୍ୟକ୍ତିବିଶେଷଙ୍କୁ ନେଇ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜ୍‌ମେଣ୍ଟ୍‌ କମିଟି’ ଗଠନ କରି ଟିଏମ୍‌ସି / ସଙ୍ଗରୋଧ ଗୃହର ସୁପରିଚାଳନା ଦାୟିତ୍ୱ ଦିଆଯାଉ। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗୁରୁତର ରୋଗୀଙ୍କୁ ଜିଲ୍ଲା କିମ୍ବା ରାଜ୍ୟସ୍ତରର କୋଭିଡ୍ କେୟାର ସେଣ୍ଟରକୁ ପଠାଇବାର ଦାୟିତ୍ୱ ସେମାନଙ୍କୁ ଦିଆଯାଉ। କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ୍‌ କମିଟିର ତତ୍ତ୍ବାବଧାନରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗ୍ରାମପଞ୍ଚାୟତ ସ୍ତରରେ ବ୍ୟାପକ ଟିକାକରଣର ବ୍ୟବସ୍ଥା କରାଯାଉ।

ସେହିଭଳି କୋଭିଡ୍ ସଂକ୍ରମିତ ବ୍ୟକ୍ତିର ମୃତ୍ୟୁ ସମ୍ବନ୍ଧୀୟ ପ୍ରକୃତ ତଥ୍ୟକୁ ସରକାର ଲୁଚାଉ ଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷର ନିଆଁ ବଢ଼ିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କୋଭିଡ୍ ସଫଳ ମୁକାବିଲା କରିବା ପାଇଁ ମିଥ୍ୟା ତଥ୍ୟର ଆଧାର ଉପରେ ଯୋଜନା କଲେ ତାହା କୋଭିଡ୍ ମୁକାବିଲା ପାଇଁ ଫଳପ୍ରଦ ହେବ ନାହିଁ। ରାଜ୍ୟ ସରକାର ବିଜ୍ଞାନ ସମ୍ମତ ତଥ୍ୟ ଉପରେ କୋଭିଡ୍ ମୁକାବିଲା ପାଇଁ ଗ୍ରାମାଞ୍ଚଳ ଓ ଆଦିବାସୀବହୁଳ ଅନୁନ୍ନତ ଅଞ୍ଚଳରେ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର