୨୦ରେ ମୁଖ୍ୟମନ୍ତ୍ରୀଙ୍କୁ ନାଲିଚୁଡ଼ି ଦେବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ବେବ‌ିନା ଗଣଦୁଷ୍କର୍ମ ଓ ହତ୍ୟା‌ ମାମଲାରେ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି ବିରୋଧୀ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଏହି ମାମଲାରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି। ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରୁ ନାଲି ଚୁଡ଼ି ସଂଗ୍ରହ କରାଯାଉଛି। ଏହି ଚୁଡ଼ି ଆସନ୍ତା ୧୮ ତାରିଖରେ ରାଜ୍ୟ କାର୍ଯ୍ୟା‌ଳୟରେ ପହଞ୍ଚିବ। ସେଠାରୁ ଡାକ ଯୋଗେ ସଚିବାଳୟକୁ ଚୁଡ଼ି ପଠାଯିବ। ଏହା ସହ ୨୦ ତାରିଖରେ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ନାଲି ଚୁଡ଼ି ଭେଟି ଦେବେ ବୋଲି ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ପ୍ରଦୀପ ମହାରଥୀଙ୍କ ଇସ୍ତଫା ସମ୍ପୂର୍ଣ୍ଣ ପ୍ରାୟୋଜିତ। ଅନ୍ୟ ପଟେ ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହେବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ପ୍ରଥମ ଷଡ଼ଯନ୍ତ୍ରକାରୀ। ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ବ ମୁଣ୍ଡ ଉପରକୁ ନେଇ ମହିଳା ସମାଜକୁ କ୍ଷମା ମାଗନ୍ତୁ। ଏହା ସହ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରନ୍ତୁ। ବେବିନା ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବା ସହ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ।

ସମ୍ବନ୍ଧିତ ଖବର