ପାଶୱାନ, ତୋମାରଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ୱର : ଓଡ଼ିଶାର ବିଜେପି ସାଂସଦମାନେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କୋଭିଡ୍‌ ସମୟରେ ଜାତୀୟ ଖାଦ୍ୟ ନିରାପତ୍ତା ମିସନ୍‌ର ହିତାଧିକାରୀଙ୍କୁ ଠିକ୍ ଭାବେ ଖାଦ୍ୟଶସ୍ୟ ମିଳିନି ବୋଲି ସେମାନେ ଅଭିଯୋଗ କରିବା ସହ ପିଏମ୍ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ପ୍ରାପ୍ୟ ମିଳୁନି ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ହସ୍ତକ୍ଷେପ କରି ତଦନ୍ତ କରାଇବାକୁ ସେମାନେ ନିବେଦନ କରିଥିଲେ।

ଶ୍ରୀ ପାଶୱାନ୍‌ଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କୋଭଡ୍‌ ଲକ୍‌ଡାଉନ୍ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଲୋକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ପ୍ୟାକେଜ୍ ଘୋଷଣା କରିଥ‌ିଲେ। ଏହି ପ୍ୟାକେଜ୍‌ରେ ଜାତୀୟ ଖାଦ୍ୟ ନିରାପତ୍ତା ମିସନ୍‌ର ହିତାଧିକାରୀଙ୍କୁ ଚାଉଳ ଓ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ୩.୨୪ କୋଟି ଏନ୍‌ଏଫ୍‌ଏସ୍‌ଏମ୍ ହିତାଧିକାରୀଙ୍କୁ ଏପ୍ରିଲ୍‌, ୨୦୨୦ରୁ ହିତାଧିକାରୀଙ୍କୁ ୫ କେଜି ଚାଉଳ ଓ ୧ କେଜି ଡାଲି ଯୋଗାଇ ଦିଆଯାଇଛି। କିନ୍ତୁ ଓଡ଼ିଶାରେ ଗତ ଜୁଲାଇ ମାସରେ ୩.୦୪ କୋଟି ହିତାଧିକାରୀ ଖାଦ୍ୟଶସ୍ୟ ପାଇଥିଲା ବେଳେ ଅଗଷ୍ଟରେ ଏହି ସଂଖ୍ୟା ୩.୧୫ କୋଟି ରହିଛି। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଖାଦ୍ୟଶସ୍ୟ ଦିଆଗଲା ବେଳେ ହିତାଧିକାରୀଙ୍କ ସଂଖ୍ୟାରେ ବଡ଼ ବ୍ୟବଧାନ ଦେଖିବାକୁ ମିଳୁଛି। ଓଡ଼ିଶା ସରକାର ଏଥିରେ ବ୍ୟାପକ ହେର୍‌ଫେର୍ କରୁଥିବାର ଜଣାପଡ଼ିଛି। ଏପରିକି ହିତାଧିକାରୀ ଚିହ୍ନଟରେ ମଧ୍ୟ ଅନିୟମିତତା କରାଯାଇଛି। ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି।

ଶ୍ରୀ ତୋମାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାରେ ଚାଷୀମାନଙ୍କୁ ପ୍ରାପ୍ୟ ମିଳୁନି। ଏହି ଯୋଜନାରେ ଓଡ଼ିଶାରୁ ୩୭,୦୦,୫୭୮ ଚାଷୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୬,୭୦,୪୮୯ ଜଣ ଚାଷୀ ପ୍ରଥମ କିସ୍ତି ପାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ଚାଷୀଙ୍କ ସଂଖ୍ୟା କମିବାରେ ଲାଗିଲା। କରୋନା ସମୟରେ ଦିଆଯାଇଥିବା ଷଷ୍ଠ କିସ୍ତି ଟଙ୍କା ମାତ୍ର ୨୦,୦୧,୨୯୨ ଜଣ ଚାଷୀ ପାଇଛନ୍ତି। ଜଣାପଡ଼ିଛି ଯେ ଓଡ଼ିଶା ସରକାର କିଛି ଯୁକ୍ତିଯୁକ୍ତ କାରଣ ନ ଥାଇ ହିତାଧିକାରୀଙ୍କ ନାମ ସୁପାରିସ୍‌ କରୁ ନାହାନ୍ତି। ରାଜ୍ୟ ସରକାର ନିଜେ କାଳିଆ ଯୋଜନା ପାଇଁ ହିତାଧିକାରୀ ତାଲିକା ପ୍ରସ୍ତୁତ କରିଥିଲେ ବି କାଳିଆ ଓ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ତାଲିକା ମଧ୍ୟରେ ତାଳମେଳ ରହୁ ନାହିଁ।

ସମ୍ବନ୍ଧିତ ଖବର