କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ

ଓଡ଼ିଶା‌ର ବହୁ କଲେଜରେ ୪ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଇଡି ପାଠ୍ୟକ୍ରମ ଆରମ୍ଭ ହେଉ

ଭୁବନେଶ୍ବର : ଦେଶରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି। ଏହା ଅନୁଯାୟୀ ଶିକ୍ଷକତା ପାଇଁ ୪ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଇଡି ଉତ୍ତୀର୍ଣ୍ଣ ହେବା ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି। ଏଥିପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ୍ ଟିଚର୍ସ ଏଜୁକେସନ୍ ପ୍ରୋଗ୍ରାମ୍‌ ଅାରମ୍ଭ ହୋଇଛି। ଏଥିରେ ଜଣେ +୨ ପାସ୍‌ କରିବା ପରେ ଏହି ପାଠ୍ୟକ୍ରମ ପଢ଼ିପାରିବେ। ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଖୋଲିବ। ଏଥିରେ ଛାତ୍ରଛାତ୍ରୀମାନେ ଇତିହାସ, ଗଣିତ, ପଦାର୍ଥ ବିଜ୍ଞାନ, ଅର୍ଥନୀତି, ବାଣିଜ୍ୟ ଆଦି ବିଷୟ ରଖି ଏହି ପାଠ୍ୟକ୍ରମ ପଢ଼ିପାରିବେ। ଏକସଙ୍ଗେ ବି.ଏ ବିଇଡି, ବି.ଏସ୍‌ସି ବିଇଡି, ବି.କମ୍ ବିଇଡି ପଢିପାରିବେ। ଏହା ୨୦୨୨-୨୩ ଶିକ୍ଷା ବର୍ଷରୁ ଲାଗୁ ହେବ। ଏହାକୁ ନଜରରେ ରଖି ରାଜ୍ୟର ଅଧିକରୁ ଅଧିକ ବହୁବିଭାଗ ଥିବା ମହାବିଦ୍ୟାଳୟରେ ୪ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଇଡି ପାଠ୍ୟକ୍ରମ ଖୋଲିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି। ବିଜେପି ସାଂସଦ ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ନୀତିଶ ଗଙ୍ଗଦେବ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର