ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା କଳାହାଣ୍ଡିରେ ଦେଇଥିବା ଭାଷଣକୁ ସମାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ କଟାକ୍ଷ କରାଯାଇଛି ଯେ ଶ୍ରୀ ନଡ୍ଡ‌ା ଯେଉଁ ଭାଷଣ ଦେଇଛନ୍ତି ତାହାର ମୁଖ୍ୟ ଲକ୍ଷ୍ୟ ହେଉଛି ହତାଶ ଓ ନିରାଶ ହୋଇପଡ଼ିଥିବା ଓଡ଼ିଶାର ବିଜେପି ନେତା ଓ କ୍ୟାଡର୍‌ମାନଙ୍କୁ ଉତ୍ସାହିତ କରିବା।

Advertisment

ଦଳର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହା ଭଲ ହୋଇଥାନ୍ତା ଯଦି ସେ ସ୍ପଷ୍ଟ କରିଥାନ୍ତେ ଯେ କେନ୍ଦ୍ରରେ ବିଜେପି ସରକାର କେତେବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ଯୋଗାଇବା ଆରମ୍ଭ କରିବେ। ଏହା ମଧ୍ୟ ଭଲ ହୋଇଥାନ୍ତା ଯଦି ସିଏ ସ୍ପଷ୍ଟ କରିଥା’ନ୍ତେ ଯେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ଷଡ଼ଯନ୍ତ୍ର ଯୋଗୁଁ ଓଡିଶାକୁ ମିଳିବାକୁ ଥିବା ସାତ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଘରକୁ କିଭଳି ଅଟକାଇ ଦିଆଯାଇଥିଲା।

ଓଡ଼ିଶା ବିଜେପିର ନେତାମାନେ ଯଦି ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ଠିକ୍ ଭାବରେ ସୂଚନା ଦେଇଥା’ନ୍ତେ, ତେବେ ସେ ଏହାକୁ ନିଶ୍ଚିତ ଭାବେ ପ୍ରଶଂସା କରିଥା’ନ୍ତେ। କାରଣ ବିଏସ୍‌କେୱାଇ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି, ଯାହା ଆୟୁଷ୍ମାନ ଯୋଜନାରେ ପ୍ରଦାନ କରାଯାଇଥିବା ଅର୍ଥର ଦୁଇଗୁଣ। ଓଡ଼ିଶାର ୪.୫ କୋଟି ଲୋକ କ୍ରମାଗତ ପାଞ୍ଚ ଥର ପାଇଁ ଏବଂ ୨୩ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇ ଆସୁଛନ୍ତି। କାରଣ ସେ ସେମାନଙ୍କ ସେବା କରନ୍ତି ଓ ସେମାନେ ମଧ୍ୟ ତାଙ୍କୁ ଭଲ ପାଆନ୍ତି। ସେବା କରିବା ଓ ଶାସନ ନକରିବାରେ ବିଶ୍ୱାସ କରୁଥିବା ଲୋକମାନେ ଏହା ଠିକଣା ଭାବେ ବୁଝିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।