ଏରସମା/ଚଣ୍ଡିଖୋଲ/ଛତିଆ/ଅସୁରାଳି/କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ରାଜ୍ୟରେ ମାରାଥନ ପ୍ରଚାର କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ପରିବର୍ତ୍ତନ କରିବା ସହିତ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେବାପାଇଁ ସେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ପ୍ରଥମେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଲେଇସ୍ଥିତ ଶେଖର ପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥି‌ଲେ। ଓଡ଼ିଶାରେ ଠିକାଦାରୀ ଶାସନ ଚାଲିଥିବା ଅଭିଯୋଗ କରିବା ସହିତ ରତ୍ନଭଣ୍ଡାର ଚାବି ହଜିବା କଥା କହିଥିଲେ। ଏଥିସହିତ, ଓଡ଼ିଶାରେ ବିଜେପି ସରକାର ହେଲେ ସୂର୍ଯ୍ୟଘର ଯୋଜନା କାର୍ଯ୍ୟକାରୀ ହେବ।

Advertisment

ଫଳରେ ବିଜୁଳି ବିଲ୍‌ ଶୂନ ହୋଇଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ। କେବଳ ସେତିକି ନୁହେଁ, ୯୦ଟି ଲଘୁ ବନ୍ୟଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ସହ ପ୍ରତି ଘରକୁ ପାଇପ୍‌ ଦ୍ବାରା ଗ୍ୟାସ୍‌ ଯୋଗାଣ ହେବ ବୋଲି କହିଥିଲେ। ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତଙ୍କ ସଭାପତିତ୍ବରେ ଏବଂ ବରିଷ୍ଠ ନେତା ତଥା ଆଇନଜୀବୀ ବାଞ୍ଝାନିଧି ପୃଷ୍ଟିଙ୍କ ପରିଚାଳନାରେ ଆୟୋଜିତ କରଞ୍ଜିଆ ସମାବେଶରେ ଶ୍ରୀ ନଡ୍ଡା କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ଏବଂ କରଞ୍ଜିଆ ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ଭୋଟ୍‌ ମାଗିଥିବା ବେଳେ ଅନନ୍ତ ଓ ପଦ୍ମଚରଣଙ୍କ ସମେତ ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ଚରଣ ନାୟକ, ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାନେତ୍ରୀ ମମିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ଅସୁରାଳି ସମାବେଶରେ ଶ୍ରୀ ନଡ୍ଡା ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ପାଇଁ ଭୋଟ୍‌ ମାଗିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ, ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଧାୟକ ଭୋଳା ସିଂ, ରାମେଶ୍ବର ଶର୍ମା ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ଡ. ସୁଧାଂଶୁ ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ନବୀନ ତୁଷ୍ଟୀକରଣ, ମୋଦୀ ସନ୍ତୁଷ୍ଟୀକରଣ ରାଜନୀତି କରୁଛନ୍ତି
ବିଜେପି ସରକାର ସପ୍ତାହକରେ ରତ୍ନଭଣ୍ଡାର ତାଲା ଖୋଲିବ

ବଡ଼ଚଣା ମହୋତ୍ସବ ପଡ଼ିଆଠାରେ ଆୟୋଜିତ ସମାବେ‌ଶରେ ଯୋଗଦେଇ ଶ୍ରୀ ନଡ୍ଡା କହିଥିଲେ, ନବୀନ ତୁଷ୍ଟୀକରଣ, ମୋଦୀ ସନ୍ତୁଷ୍ଟୀକରଣ ରାଜନୀତି କରୁଛନ୍ତି। ଏଥର ଓଡ଼ିଶାରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବ। ବିଜେପି କ୍ଷମତା ଦଖଲର ୧ ସପ୍ତାହ ମଧ୍ୟରେ ରତ୍ନଭଣ୍ଡାର ତାଲା ଖୋଲିବ। ଏହି ସମାବେଶରେ ଯାଜପୁର ସାଂସଦ ପ୍ରାର୍ଥୀ ରବି ନାରାୟଣ ବେହେରା, ବଡ଼ଚଣା ବିଧାନସଭା ପ୍ରାର୍ଥୀ ଅମର କୁମାର ନାୟକ ଉଦ୍‌ବୋଧନ ଦେଇଥିଲେ। ସେହିପରି, ଏରସମା ହାଇସ୍କୁଲ ନିକଟ ଏରସମା ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ଆୟୋଜିତ ସମାବେଶରେ ଶ୍ରୀ ନଡ୍ଡା ଯୋଗ ଦେଇ ବିଜେଡି ସରକାରକୁ ‌କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ଶ୍ରୀ ନଡ୍ଡା କହିଥିଲେ ଯେ ଓଡ଼ିଶାରେ କଣ କେହି ଓଡ଼ିଆ ନେତା ନ ଥିଲେ ଯେ ତାମିଲନାଡ଼ରୁ ଆଣିବାକୁ ପଡିଲା। ଓଡ଼ିଶାର ସରକାର ବଦଳାଅ, ନବୀନ ବାବୁଙ୍କୁ ଆରାମ ଦିଅ। ତାଙ୍କ ମାଧ୍ୟମରେ ଯେଉଁମାନେ ପ୍ରଶାସନ ଚଳାଉଛନ୍ତି ସେମାନଙ୍କୁ ଓଡ଼ିଶାରୁ ବାହାର କର।

ଓଡ଼ିଆ ଲୋକ ଓଡ଼ିଶାର ସରକାର ଚଳାନ୍ତୁ ବୋଲି ଶ୍ରୀ ନଡ୍ଡା କହିଥିଲେ। ଏହି ଅବସରରେ ଶ୍ରୀ ନଡ୍ଡା ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ଓ ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ସତ୍ୟସାରଥି ମହାନ୍ତିଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ। ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସଞ୍ଜୟ ମହାନ୍ତି, ପବିତ୍ର ଦାସ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ସ୍ବାଇଁ, ଓମ୍ ପ୍ରକାଶ ରାୟ, ନିର୍ଲିପ୍ତ ଜେନା, ନୃସିଂହ ଚରଣ ସାହୁ, ମୋହିତ ମହାନ୍ତି, କ୍ରିଷ୍ଣା ମହାନ୍ତି, ତପନ ବେହେରା, ରାଜଶ୍ରୀ ପଟ୍ଟନାୟକ, ଅମିତା ଦାସ, ବିଜେପି କଟକ ଜିଲ୍ଲାର ସମ୍ପାଦିକା ହେମ ମଞ୍ଚରୀ ଭଞ୍ଜଦେଓ ପ୍ରମୁଖ ଯୋଗ ଦେଇଥିଲେ।