ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ ସମୟରେ ହେଲିକପ୍ଟର୍ ବ୍ୟବହାର ନେଇ ଆପତ୍ତି ଉଠାଇଲା ବିଜେପି

ଜବାବ ଦେଲେ ସଞ୍ଜୟ, ଗସ୍ତକୁ ବିଜେପି ରାଜନୈତିକ ରୂପ ଦେଉଛି

ଭୁବନେଶ୍ୱର : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ ଓ ହେଲିକପ୍ଟର୍‌ରେ ଭୁବନେଶ୍ବର ଫେରିବା ନେଇ ଆପତ୍ତି ଉଠାଇଛି ବିଜେପି। ସରକାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ କରିବା ଉପରେ ଗୁରୁତ୍ବାରୋପ କରୁଥିଲା ବେଳେ କେଉଁ ଜରୁରୀ ପରିସ୍ଥିତିରେ ଉପାଧ୍ୟକ୍ଷ ତିନିଟି ଜିଲ୍ଲା ଯାଇ ସମୀକ୍ଷା ବୈଠକ କଲେ ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ପ୍ରଶ୍ନ କରିଛନ୍ତି। ସରକାରୀ କାର୍ଯ୍ୟକ୍ରମ ଆଳରେ ସେ ଅଧିକ ଦଳୀୟ କାର୍ଯ୍ୟକ୍ରମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ହେଲିକପ୍ଟର୍‌ରେ ଫେରିବା ଦ୍ବାରା ରାଜକୋଷ ଉପରେ ଆର୍ଥିକ ବୋଝ
ସରକାରୀ କାର୍ଯ୍ୟକ୍ରମ କମ୍, ଦଳୀୟ କାର୍ଯ୍ୟକ୍ରମ ଅଧିକ ଥିଲା

ଶ୍ରୀ ମାଝୀ କହିଛନ୍ତି ଯେ ଗଜପତି, ରାୟଗଡ଼ା ଓ ନବରଙ୍ଗପୁରଠାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସରକାରୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ଜିଲ୍ଲାପାଳଙ୍କ ସହିତ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସହ ଅନ୍ୟାନ୍ୟ ଯୋଜନାର ସମୀକ୍ଷା ବିଷୟ ତାଙ୍କ ଭ୍ରମଣ କାର୍ଯ୍ୟସୂଚୀରୁ ଜଣାପଡୁଛି। ଛଅ ଦିନର ଏହି ଗସ୍ତ ସମୟରେ କେବଳ ୩ ଦିନ ସରକାରୀ ସମୀକ୍ଷା ବୈଠକ ରଖାଯାଇଥିଲା । ଅନ୍ୟାନ୍ୟ ଦିନ ସେ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଭ୍ରମଣ କରିବାର ଥିଲା। ଶ୍ରୀ ଦାସବର୍ମା ଏବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସହିତ ବିଜେଡିର ସାଧାରଣ ସମ୍ପାଦକ ଏବଂ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ବିଜେଡିର ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି। ଏହି ଗସ୍ତ ସମୟରେ ସେ ଦଳର ନେତୃବୃନ୍ଦଙ୍କ ସହିତ ମିଶିଥିବା ସହ ଅନେକ ଦଳୀୟ କାର୍ଯ୍ୟକ୍ରମ ରଖିଥିଲେ। କୋଭିଡ ମହାମାରୀ ପ୍ରଭାବ ପାଇଁ ଅର୍ଥାଭାବ ଯୋଗୁଁ ରାଜ୍ୟ ସରକାର ଖର୍ଚ୍ଚ କାଟର ଘୋଷଣା କରିଛନ୍ତି। ତାହା ମଧ୍ୟରେ ପ୍ରମୁଖ ହେଉଛି ଗସ୍ତ ନକରି ଭିଡିଓ କନଫରେନ୍ସିଂ ଯୋଗେ ବୈଠକ କରିବା। ଆହୁରି ମଧ୍ୟ ଭୁବନେଶ୍ୱର ସହରରେ ତାଲା ବନ୍ଦ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିବ। ଏପରି ସ୍ଥଳେ ଏମିତି କଣ ଜରୁରୀ ଅବସ୍ଥା ଆସିଲା ଯେ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ନିହାତି ଦରକାର ପଡିଲା ? ଏହା ଦ୍ବାରା ଅଯଥାରେ ରାଜ୍ୟ ରାଜକୋଷ ଉପରେ ଲକ୍ଷାଧିକ ଟଙ୍କାର ଆର୍ଥିକ ବୋଝ ପଡ଼ିଲା। କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ କିମ୍ବା ରାଜନୈତିକ ସଭା ସମିତି ବାରଣ ଥିବା ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଲମ୍ବା ଗସ୍ତ ଓ ଏତେ ଗୁଡ଼ାଏ ସରକାରୀ ଓ ରାଜନୈତିକ ସଭା କରିବା ଏହି ଅଞ୍ଚଳକୁ ବିପଦ ଡାକିବା ଛଡ଼ା କିଛି ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହା ବାଦ୍ ଯୋଜନା ବୋର୍ଡ ଉପାଧ୍ୟକ୍ଷ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ର ତଦାରଖ କରିବା, ରାସନ୍ କାର୍ଡ ବାଣ୍ଟିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।

ଜବାବ ଦେଲେ ସଞ୍ଜୟ, ଗସ୍ତକୁ ବିଜେପି ରାଜନୈତିକ ରୂପ ଦେଉଛି
ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା ଗସ୍ତ ନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ସେ କହିଛନ୍ତି ଯେ ଦକ୍ଷିଣ ଓଡିଶା ଗସ୍ତ କରି ଲୋକଙ୍କ ଦୁଃଖସୁଖ ବୁଝିଥିଲୁ। ବିଶେଷ କରି ଜିଲ୍ଲା ସ୍ତରରେ କୋଭିଡ୍‌ ମୁକାବିଲାର ତଦାରଖ କରିଥିଲୁ। ଗସ୍ତ ବେଳେ ବିଭିନ୍ନ ସ୍ଥାନକୁ ସାଙ୍ଗରେ ଯାଇଥିବା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏଥି ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ତିନି ଦିନ ତଳର ଘଟଣାକୁ କାହିଁକି ବିଜେପି ରାଜନୈତିକ ରୂପ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ହେଲିକପ୍ଟର୍‌ରେ ଗସ୍ତ ପ୍ରଶ୍ନକୁ ଶ୍ରୀ ଦାସବର୍ମା ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର