ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ସହର ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସମୟରେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ଜିଲ୍ଲା ବିଜେପିର କର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ସହର ଭିତର ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି। ଏହାସହ ସହର ମଧ୍ୟରେ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଏହି ବନ୍ଦ ପାଳନ ସମୟରେ ଜରୁରୀ ସେବାକୁ ବାଦ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ରବିବାର ଦିନ ନବରଙ୍ଗପୁର ସହର ଆରସିଡି ହାଇସ୍କୁଲ ପଡ଼ିଆଠାରେ ହକି ବିଶ୍ୱକପର ଟ୍ରଫିକୁ ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାଶ ମଞ୍ଚରେ ଉପସ୍ଥିତ ଥିବା ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ହୁ ଆର ୟୁ କହିବା ସହ ତୁମେ ପ୍ରୋଟୋକଲ ଜାଣି ନଥିବା କହି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଜଣେ ନିର୍ବାଚିତ ପ୍ରତିନିଧିଙ୍କୁଙ୍କୁ ଜିଲ୍ଲାସ୍ତରୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୁର୍ବ୍ୟବହାରକୁ ନାପସନ୍ଦ କରିଛି ଜିଲ୍ଲା ବିଜେପି।
ଏଣୁ ସମ୍ପୃକ୍ତ ଅଧିକାରୀଜଣକ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଯଦି କ୍ଷମା ନ ମାଗନ୍ତି ତେବେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ନବରଙ୍ଗପୁର ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ଅଧିକାରୀଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ବିଜେପି କାର୍ଯ୍ୟକର୍ତ୍ତାମାନେ ଗତକାଲି ଧାରଣା ଦେଇଥିଲେ।