ବସ୍ତି ଉଚ୍ଛେଦକୁ ବିରୋଧ କଲା ବିଜେପି: ୧୨ ଘଣ୍ଟିଆ ରାସ୍ତାରୋକ ଜାରି

ରାୟଗଡ଼ା: ରାୟଗଡ଼ା ସହରର ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦକୁ ବିରୋଧ କରି ରାୟଗଡ଼ାରେ ବିଜେପିର ୧୨ ଘଣ୍ଟିଆ ରାସ୍ତାରୋକ ଜାରି ରହିଛି। ଆଜି ସକାଳେ ସହରର ୩ ପ୍ରବେଶ ପଥରେ ଦଳୀୟ କର୍ମୀମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। ତେବେ ସହରରେ ଦୋକାନ, ବଜାର, ଅଫିସ୍, ସ୍କୁଲ୍ ଖୋଲା ରହିଛି। ସହରର ୩ ପ୍ରବେଶ ପଥରେ ରାସ୍ତାରୋକ କରାଯାଇଛି ବୋଲି ସୂଚନା ଦେଇଛନ୍ତି ନଗର ବିଜେପି ସଭାପତି ଶ୍ୟାମ ଦାଶ। ରାସ୍ତାରୋକ ସମୟରେ ସହରର ସମସ୍ତ ଦୋକାନ, ବଜାର, ସ୍କୁଲ୍, ବେସରକାରୀ ଅଫିସ୍ ଓ  ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। କେବଳ ଯାନବାହନ ଚଳାଚଳକୁ ବନ୍ଦ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ଧାରଣାରେ ବିଜେପିର ବରିଷ୍ଠ ନେତା ବସନ୍ତ ଉଲାକା ଓ ବିଦ୍ୟା ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ା ସହରର ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ଲାଗି ରେଳ ବିଭାଗ ନୋଟିସ୍ ଜାରି କରିଛି। ନୂତନ ରେଳ ଡିଭିଜନ୍ କାର୍ଯ୍ୟକାରୀ ହେବାକୁ ଥିବାରୁ ନୋଟିସ୍ ଜାରି ପରେ କିଛି ବସ୍ତିକୁ ରେଳ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇସାରିଲାଣି। ତେବେ ପ୍ରମୁଖ ବସ୍ତି କୋଇଲାପଡ଼ା, ଦୈନିକ ବଜାର, କୁକୁଡ଼ାଫାର୍ମ ଅଞ୍ଚଳରେ ଅଧିକାଂଶ ପରିବାର ରହୁଥିବାରୁ ଉଚ୍ଛେଦ ପରେ କୁଆଡ଼େ ଯିବେ ତାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ସରକାରୀ ସ୍ତରରେ ଜାଗା ଚିହ୍ନଟ  ନ କରି ବସ୍ତି ବାସିନ୍ଦାକୁ ଉଚ୍ଛେଦ କରାଯାଉଥିବାରୁ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି। ପ୍ରତିବାଦରେ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାରୋକ କରିବାକୁ ରାୟଗଡ଼ା ନଗର ବିଜେପିର ଦଳୀୟ କର୍ମୀ ଓ ନେତା ସହରର ୩ ପ୍ରବେଶ ପଥରେ ଧାରଣାରେ ବସି ରହିଛନ୍ତି। ପୁଲିସ ବୁଝାଶୁଝା କରି ସେମାନଙ୍କୁ ଉଠାଇବାକୁ ଚେଷ୍ଟା ଜାରି ରଖିଛି।

ସମ୍ବନ୍ଧିତ ଖବର