ରେଢ଼ାଖୋଲ/ଦେବଗଡ଼/ସମ୍ବଲପୁର, ୭/୪ (ଇମିସ): ଅବିଭକ୍ତ ସମ୍ବଲପୁର ଜିଲ୍ଲାର ୨ଟି ପୌରସଂସ୍ଥାର ଦେବଗଡ଼ ଓ ରେଢ଼ାଖୋଲର ଉପାଧ୍ୟକ୍ଷ ଆସନ ବିଜେପି ଅକ୍ତିଆର କରିନେଇଛି। ରେଢ଼ାଖୋଲରେ କଂଗ୍ରେସର ଏକମାତ୍ର କାଉନସିଲରଙ୍କ ସମର୍ଥନରେ ବିଜେପି ଉପାଧ୍ୟକ୍ଷ ଆସନ ହାତେଇବାକୁ ସକ୍ଷମ ହୋଇଥିବା ବେଳେ ଦେବଗଡ଼ରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଜଣେ ବିଜେଡି କାଉନ୍ସିଲର ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ, ବିଜେଡିର ଗଡ଼ ରେଢ଼ାଖୋଲରେ ବିଜେପି ଏନ୍ଏସିର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆସନ ଜିତିବା ବିଜେଡିକୁ ବଡ଼ ଝଟ୍କା ଦେଇଛି।
ରେଢ଼ାଖୋଲ ଏନ୍ଏସିରେ ୧୩ଟି ୱାର୍ଡ ରହିଛି। ନିର୍ବାଚନରେ ବିଜେପିରୁ ୬ ଓ ବିଜେଡିରୁ ୬ ଜଣ କାଉନ୍ସିଲର୍ ବିଜୟୀ ହୋଇଥିଲେ। ହେଲେ, ଜଣେ ମାତ୍ର କଂଗ୍ରେସ କାଉନ୍ସିଲର ୱାର୍ଡ ନମ୍ବର ୮ରୁ ଅମରେଶ ନାୟକ ବିଜୟୀ ହୋଇଥିଲେ। ଆଜି ନିର୍ଦ୍ଧାରିତ ସମୟରେ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ବିଜେପି ପକ୍ଷରୁ ୧ ନମ୍ବର ୱାର୍ଡର କାଉନ୍ସିଲର୍ ଅନୁସୟା ପ୍ରଧାନ ଓ ବିଜେଡିରୁ ତପସ୍ବିନୀ ମହାକୁଡ଼ ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜେପି ସପକ୍ଷରେ ୭ଟି ଭୋଟ୍ ପଡ଼ିଥିବା ବେଳେ ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୬ଟି ଭୋଟ୍ ପଡ଼ିଥିଲା। ନିବାର୍ଚନ ଅଧିକାରୀ ତହସିଲଦାର ବ୍ରେସିୟୁସ ଡୁଙ୍ଗଡୁଙ୍ଗ ବିଜେପିର ଅନୁସୟାଙ୍କୁ ବିଜୟୀ ଘୋଷଣା କରିଥିଲେ। ରେଢ଼ାଖୋଲ ଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଆଜି ସମ୍ବଲପୁର ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା।
ଉଭୟ ବିଜେଡି ଓ ବିଜେପି ସମାନ ସଂଖ୍ୟା କାଉନ୍ସିଲର ଜିତିଥିବାରୁ କିଏ ଏହି ପଦକୁ ହାତେଇବ ତାହାକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ଏପରିକି ବଜୟୀ ହୋଇଥିବା ଜଣେ ମାତ୍ର କଂଗ୍ରେସ କାଉନସିଲରଙ୍କୁ ନିଜ ପକ୍ଷକୁ ଆଣିବାକୁ ଉଭୟ ଦଳ ପକ୍ଷରୁ କଳ, ବଳ ଓ କୌଶଳ ଲଗାଇବାକୁ ପଡ଼ିଥିଲା। ସକାଳୁ ସକାଳୁ କଂଗ୍ରେସ କାଉନ୍ସିଲରଙ୍କ ଘର ସମ୍ମୁଖରେ ବିଜେଡି ଓ ବିଜେପି ନେତା ଏବଂ କର୍ମୀଙ୍କ ଭିଡ଼ ଲାଗିଥିଲା। ତାଙ୍କ ଘର ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ସ୍ଥିତି ଏମିତି ହୋଇଥିଲା ଯେ ପୁଲିସ ହେପାଜତରେ ଶ୍ରୀ ନାୟକ ନିବାର୍ଚନ ହଲ୍କୁ ଭୋଟଦାନ ପାଇଁ ଯିବାକୁ ପଡ଼ିଥିଲା। ଏପଟେ ନିର୍ବାଚନ ହଲ୍ରେ ବିଧାୟକ ତଥା ରାଜ୍ୟ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କୁ ବିଜେଡିର ନିର୍ବାଚନ ଏଜେଣ୍ଟ ଭାବରେ ଦେଖିବାକୁ ମିଳିଥିଲା। ତଥାପି, ବିଜେଡିର ସବୁ କଳ କୌଶଳ ଫେଲ୍ ମାରିଥିଲା। ନିୟମ ଅନୁଯାୟୀ, ବିଜେଡିର ସମସ୍ତ କାଉନସଲର ଜଣ ଜଣ କରି ତାଙ୍କୁ ଦେଖାଇ ଭୋଟ୍ ଦେଇଥିଲେ। ଏହା ସତ୍ତ୍ବେ ତାଙ୍କ ସମ୍ମୁଖରେ ତାଙ୍କ ପ୍ରାର୍ଥୀ ହାରିବା ଘଟଣା ରୋହିତ ବାବୁଙ୍କୁ ବ୍ୟଥିତ କରିଥିଲା। ଶେଷରେ ସବୁ ଆଶା, ଆଶଙ୍କା ଅନ୍ତଃ ଘଟାଇ ବିଜେପି ଏହି ଚାଲେଞ୍ଜରେ ବାଜି ମାରି ନେଇଥିଲା। କେନ୍ଦ୍ର ଓ ରାଜ୍ୟସ୍ତରରେ ପରସ୍ପରର ପ୍ରବଳ ବିରୋଧୀ ଥିବା କଂଗ୍ରେସ ଓ ବିଜେପି ଏଠାରେ ମିଶିଯାଇଥିବା ଚର୍ଚ୍ଚା ହେଉଛି।
ଏପଟେ ଦେବଗଡ଼ରେ ଯାହା ଆକଳନ କରାଯାଉଥିଲା ତାହା ସତ ହେଲା। ଦେବଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ହେଲା କ୍ରସ ଭୋଟିଂ। ପୌର ପରିଷଦରେ ବିଜେଡିର ସଂଖ୍ୟାଗରିଷ୍ଠତା ନଥିଲା। ଏହା ସତ୍ତ୍ବେ ବିଜେଡି ପକ୍ଷରୁ ଉପନଗରପାଳ ପଦ ପାଇଁ ପ୍ରାର୍ଥୀ ଦିଆଯାଇଥିଲା। ବିଜେଡି ୪ଟି ଆସନ ଜିତିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ମାତ୍ର ୩ ଖଣ୍ଡ ଭୋଟ୍ ମିଳିଥିଲା। ଅନ୍ୟପଟେ ବିଜେପି ଖାତାରେ ଅଧିକ ଗୋଟିଏ ଭୋଟ ପଡ଼ିଥିଲା। ଦେବଗଡ଼ ପୌର ପରିଷଦର ୧୧ ୱାର୍ଡ ମଧ୍ୟରୁ ୬ଟିରେ ବିଜେପି, ୪ଟିରେ ବିଜେଡି ଏବଂ ଗୋଟିଏ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଆଜି ଉପନଗରପାଳ ଆସନ ପାଇଁ ବିଜେପିରୁ ପ୍ରଜିତ କୁମାର ଭୋଜ ଓ ବିଜେଡିରୁ ଯତୀନ ନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ।
କ୍ରସ୍ ଭୋଟିଂ ଯୋଗୁ ପ୍ରଜିତ ୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଯତୀନ ନାୟକ ମାତ୍ର ୩ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପଟେ ସ୍ବାଧୀନ ଭାବରେ ଚତୁର୍ଥ ଥର ପାଇଁ କାଉନ୍ସିଲର ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ଦେବତା ଭୋଟ୍ ଦାନରୁ ଦୂରେଇ ରହିଥିଲେ। ଏନେଇ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ବିଜେଡିର କାଉନ୍ସିଲର ଭୁଲ୍ରେ ଜାଣି ନପାରିବା ଫଳରେ ଏପରି ତ୍ରୁଟି ହୋଇଛି। ସଂଖ୍ୟାଗରିଷ୍ଠତା ନଥିବାରୁ ଆମର ଉପାଧ୍ୟକ୍ଷ ନିର୍ବାଚନ ଜିତିବାର ସେଭଳି କିଛି ଅଶାନଥିଲା। ଆମେ ଚାହୁଁ କେବଳ ଦେବଗଡ଼ ସହରର ବିକାଶ ବୋଲି ସେ କହିଛନ୍ତି। ଏପଟେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ଦଖଲରେ ଥିବାବେଳେ ଉପାଧ୍ୟକ୍ଷ ଆସନ ବିଜେପି ହାତକୁ ଚାଲିଯାଇଛି। ତେବେ, ଶାସକ ଦଳ କାଉନ୍ସିଲର ଭୁଲରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା କଥାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଜୋର ଧରିଛି।