ବରୀ : ବିଜେପି ଦଳ ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଦଳର କେନ୍ଦ୍ରୀୟ ନେତୃତ୍ବ ବିରୋଧରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ତଥା କେନ୍ଦ୍ରୀୟ ଓବିସି ସେଲ୍‌ର ସଦସ୍ୟ ଆଶୁତୋଷ ପରିଡାଙ୍କ ବିଷୋଦ୍‌ଗାର ଘଟଣାରୁ ଏହା ଜଣାପଡ଼ିଛି।

Advertisment

ଶ୍ରୀ ପରିଡ଼ା ପୂର୍ବରୁ ବିଜେପିର ଯାଜପୁର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ପରେ ତାଙ୍କୁ ସଭାପତି ପଦରୁ ହଟାଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ପଦରେ ରଖାଯାଇଥିଲା। ଜିଲ୍ଲା ଅନ୍ତର୍ଗତ ବରୀ ବିଧାନସଭା ଆସନ ପାଇଁ ସେ ଆଶାୟୀ ଥିଲେ। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରୀ ଗସ୍ତରେ ଆସିଥିବାବେଳେ ଦଳର ପ୍ରାର୍ଥୀ ଭାବେ ବିଶ୍ବରଂଜନ ମଲ୍ଲିକଙ୍କ ନାମ ଘୋଷଣା କରିଥିଲେ।

ଆଜି ଆୟୋଜିତ ଏଠାରେ ଆୟୋଜିତ ଏକ ବନ୍ଧୁମିଳନ ଉତ୍ସବରେ ଶ୍ରୀ ପରିଡ଼ାଙ୍କ ଅସନ୍ତୋଷ ପଦାକୁ ଆସିଛି। କେନ୍ଦ୍ରୀୟ ନେତୃତ୍ବ ବିରୋଧରେ ବିଷୋଦ୍‌ଗାର କରି କହିଛନ୍ତି ଯେ, ସେ ଜିଲ୍ଲା ବିଜେପି ସଭାପତି ଥିବା ବେଳେ ୨୦୧୪ ମସିହାରେ ଡଙ୍କାରୀ ପାହାଡ଼ ଲୁଟକୁ ରୋକିବା ପାଇଁ ଆନ୍ଦୋଳନ ଆରମ୍ଭ କରି ୨୦୧୬ ନଭେମ୍ବର ୨୮ ତାରିଖରେ ସଫଳତା ପାଇଥିଲେ। ରାସାୟନିକ ପଦାର୍ଥ ବ୍ୟବହାର କରି ମାଫିଆମାନେ ପାହାଡ଼ ଲୁଟ କରିବା ବେଳେ ପାହଡ଼ ତଳର ବସ୍ତିବାସିନ୍ଦା କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଥିଲେ। ଏହାକୁ ମାନବଧିକାରୀ କମିଶନରଙ୍କ ଦୃଷ୍ଟିକୁ ପାହାଡ଼ ଖୋଳା ବନ୍ଦ କରିବାରେ ସଫଳତା ପାଇଥିଲା ବେଳେ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ମାଫିଆମାନେ କେନ୍ଦ୍ରୀୟ ନେତାଙ୍କୁ ଯୋଗାଯୋଗ କରି ଜିଲ୍ଲା ସଭାପତି ପଦରୁ ହଟାଇ ଦେବା ସହ ଡଙ୍କାରୀ ପାହାଡ଼କୁ ସେମାନଙ୍କ ହାତକୁ ଟେକି ଦିଆଯାଇଥିଲା ବୋଲି ଶ୍ରୀ ପରିଡ଼ା ଅଭିଯୋଗ କରିଛନ୍ତି। ଏଥିସହିତ, ବରୀରୁ ଦୁର୍ନୀତି ହଟାଇବାକୁ ଆବଶ୍ୟକ ପଡ଼ିଲେ ଦଳ ଛାଡ଼ିବାକୁ ପଛେଇବେ ନାହିଁ ଶ୍ରୀ ପରିଡ଼ା ଘୋଷଣା କରିଛନ୍ତି।