ଭବାନୀପାଟଣା : ଓଡ଼ିଶାର ନେତା କିଏ? କିଏ ଚଳାଉଛି ସରକାର? ଏଠାରେ ନବୀନ ପଟ୍ଟନାୟକ ଶାସନ ଚଳାଇବା ପାଇଁ ଅଫିସରଙ୍କୁ ଆଉଟ୍‌ସୋର୍ସିଂରେ ଶାସନ ଭାର ଦେଇଛନ୍ତି। ଲୋକେ ନେତାଙ୍କୁ ଭୋଟ୍‌ ଦେଇଛନ୍ତି, କିନ୍ତୁ ଅଫିସର ଶାସନ ଚଳାଉଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁ ନଥିବାବେଳେ ଏଥିରେ ବ୍ୟାପକ ହରିଲୁଟ ହୋଇଛି। ଏହାର ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଜେଲ ପଠାଯିବ ବୋଲି ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ବିଜେପିର ଗରିବ କଲ୍ୟାଣ ମହାସମାବେଶରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଯୋଗଦେଇ ପ୍ରକାଶ କରିଛନ୍ତି।

Advertisment

କଳାହାଣ୍ଡି ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ହେଲିକପ୍ଟରରେ ଅବତରଣ କରିବାପରେ ଶ୍ରୀ ନଡ୍ଡା ପ୍ରଥମେ ମା’ ମାଣିକେଶ୍ବରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ସେଠାରୁ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ ଯାଇ ବିଜେପିର ଗରିବ କଲ୍ୟାଣ ମହାସମାବେଶରେ ମୋଦୀଙ୍କ ୯ ବର୍ଷ ଶାସନର ସଫଳତା ସଂପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଜୟ ଜଗନ୍ନାଥ ଓ ମା’ ମାଣିକେଶ୍ବରୀଙ୍କ ନାରା ଦେଇ ନିଜର ଅଭିଭାଷଣ ‌ଆରମ୍ଭ କରିଥିଲେ। ସେହିଭଳି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ବକ୍ସି ଜଗବନ୍ଧୁଙ୍କୁ ମନେ ପକାଇଥିଲେ। ଶ୍ରୀ ନଡ୍ଡା ନିଜ ଅଭିଭାଷଣରେ କହିଥିଲେ ଯେ, ଯେଉଁ ନୀତୀଶ କୁମାର ଓ ଲାଲୁ ଯାଦବଙ୍କୁ ଇନ୍ଦିରା ଗାନ୍ଧୀ ଜେଲ୍‌ ପଠାଇଥିଲେ, ସେମାନେ ଆଜି ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ପାଟଣାରେ ଏକଜୁଟ ହେଉଛନ୍ତି। ଅପରପକ୍ଷେ, ଭାରତର ଅମୃତ କାଳରେ ପ୍ରଧାନମନ୍ତ୍ରୀ ଆଜି ସାରାବିଶ୍ବରେ ଭାରତକୁ ବିକାଶଶୀଳ ରାଷ୍ଟ୍ର ପରିବର୍ତ୍ତେ ବିକଶିତ ରାଷ୍ଟ୍ର ଭାବେ ଭାରତର ଶକ୍ତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି।

ଅଫିସରଙ୍କୁ ଆଉଟ୍‌ସୋର୍ସିଂରେ ଶାସନ ଦାୟିତ୍ବ ଦେଇଛନ୍ତି ନବୀନ

ସେ ଆହୁରି କହିଲେ ଯେ, ମୋଦୀଜୀଙ୍କ ନେତୃତ୍ବ ଅସୀମିତ ଓ ପରିବର୍ତ୍ତନର ମାଧ୍ୟମରେ ଅଶିକ୍ଷିତ କଂଗ୍ରେସ ଆଜି ମୋଦୀଙ୍କୁ ଚାଏ ବାଲା, ସାପ, ବିଛା ଭଳି ଉପମା ଦେଇ ସମାଲୋଚିତ କରୁଛି। ସେମାନେ ମନେ ରଖିବା ଉଚିତ ଯେ, ମୋଦୀଜୀ ବଂଶବାଦରୁ ବିକାଶବାଦକୁ ଭାରତର ପରିବର୍ତ୍ତନ କରୁଛନ୍ତି। ଭାରତରେ ୨୦୧୪ରେ ପ୍ରତିଦିନ ୫ କି.ମି. ଜାତୀୟ ରାଜପଥ ନିର୍ମାଣ ହେଉଥିବାବେଳେ ବର୍ତ୍ତମାନ ଏହା ୧୨ କି.ମି.ରେ ପହଞ୍ଚିଛି। ଗତ ୭୦ ବର୍ଷରେ ୭୪ଟି ଏୟାରପୋର୍ଟ ଥିବାବେଳେ କେବଳ ଗତ ୯ ମାସରେ ୭୪ଟି ନୂଆ ଏୟାରପୋର୍ଟ ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି। ସେହିପରି ୬୧୬ କିମି ମେଟ୍ରୋ ରେଳ ଲାଇନ ଓ ୫୪ ହଜାର କିମି ଗତ ୯ ବର୍ଷ ମଧ୍ୟରେ ନିର୍ମାଣ ହୋଇଛି। ଭାରତ ବର୍ତ୍ତମାନ ୪୭୦ଟି ଏୟାର ‌ବସ ଓ ବୋଇଙ୍ଗ ବିମାନ କ୍ରୟ କରିଛି।

publive-image

ଶ୍ରୀ ନଡ୍ଡା ତାଙ୍କ ବକ୍ତବ୍ୟରେ କହିଲେ, ଓଡ଼ିଶାରେ ଗତ ୨୩ ବର୍ଷରେ ନବୀନ ସରକାର ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ଗରିବଙ୍କ କଲ୍ୟାଣ ନିମନ୍ତେ ୩୫୦ କୋଟି କେବଳ ଅନ୍ୟ ଯୋଜନାରେ ଓଡ଼ିଶାକୁ ପ୍ରଦାନ କରାଯାଇଛି। ବର୍ତ୍ତମାନ ଦେଶର ୧୦% ଗରିବ ହ୍ରାସ ହୋଇଛି। ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଅଫିସରମାନଙ୍କୁ ଆଉଟସୋର୍ସିଂରେ ରାଜ୍ୟ ଶାସନ ଚଳାଇବା ପାଇଁ ଦେଇଛନ୍ତି। ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ତେଣୁ ଆଗାମୀଦିନରେ ବିଜେପି ଏହାର ପ୍ରତିବାଦ କରି ରାଜ୍ୟରେ ଶାସନକୁ ଆସିବ ବୋଲି କହିଛନ୍ତି। ଓଡ଼ିଶାରେ କିଏ ଶାସନ ଚଳାଉଛି ‌ସମସ୍ତେ ଜାଣିଛନ୍ତି। ତେଣୁ ତାଙ୍କ ନାଁ ନେବାକୁ ଚାହୁନାହାନ୍ତି ବୋଲି କହିଥିଲେ। ଓଡ଼ିଶାରେ ୧୦୪ଟି ଏକଲବ୍ୟ ମଡେଲ୍‌ ସ୍କୁଲ ଖୋଲାଯାଇଛି। ସମ୍ବଲପୁରରେ ୪୦୧ କୋଟି ଟଙ୍କାରେ ଆଇଆଇଏମ୍‌ ନିର୍ମାଣ ହୋଇଛି। ଭୁବନେଶ୍ବରଠାରେ ଆଇଜର ଓ ସ୍କିନ୍‌ ଡେଭଲପ୍‌ମେଣ୍ଟ ସେଣ୍ଟର ନିର୍ମାଣ ହୋଇଛି। ବାଲେଶ୍ବର ମେଡିକାଲ କଲେଜକୁ ୧୮୯ କୋଟି, ବାରିପଦା ମେଡିକାଲ କଲେଜକୁ ୧୮୯ କୋଟି, ବଲାଙ୍ଗୀର ମେଡିକାଲ କଲେଜକୁ ୧୮୯ କୋଟି, କୋରାପୁଟ ମେଡିକାଲ କଲେଜକୁ ୧୮୯ କୋଟି, ଯାଜପୁର ମେଡିକାଲ କଲେଜକୁ ୨୫୦ କୋଟି ଓ କଳାହାଣ୍ଡି ମେଡିକାଲ କଲେଜକୁ ୩୫୦ କୋଟି ପ୍ରଦାନ କରାଯାଇଛି। ବର୍ତ୍ତମାନ ଭାରତରେ ମୁଦ୍ରାସ୍ଫିତି ୪.୨% ରହିଛି, ଜିଡିପି ବୃଦ୍ଧି ୮.୭% ରହିଛି ବୋଲି ସେ କହିଥିଲେ। ମୋଦୀଙ୍କ ବିକାଶ ଧାରାରେ ବିରୋଧୀମାନେ ଭୟଭୀତ ହୋଇ ପଡ଼ିଛନ୍ତି ବୋଲି ନିଜ ଅଭିଭାଷଣରେ କହିଛନ୍ତି।

publive-image

ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟରେ ‘ସବ୍‌କା ସାଥ ସବ୍‌କା ବିକାଶ’ ମୋଦୀଙ୍କ ମନ୍ତ୍ର ହୋଇଥିବାବେଳେ ୧୪୦ କୋଟି ଭାରତୀୟଙ୍କ ସାରାବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୪ରେ ରାଜ୍ୟ ୫ ହଜାର କୋଟି ଟଙ୍କା ଅନୁଦାନ ପାଉଥିବାବେଳେ, ବର୍ତ୍ତମାନ ଏହା ୫୦ ହଜାର କୋଟିରେ ପହଞ୍ଚିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ବିଜୁଳି କାଟ, ଦାଦନ ସମସ୍ୟା ଉତ୍କଟ ହେବାରେ ଲାଗିଛି। ବାଟମାରଣ ଯୋଗୁ କେନ୍ଦ୍ରୀୟ ସହାୟତାକୁ ହାଇଜାକ୍‌ କରି ରାଜ୍ୟ ବାହାବାହା ନେଉଛି ବୋଲି କହିଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ଅନୁଦାନ ଦେଉଥିବାବେଳେ ରାଜ୍ୟ ଏହାକୁ ଠିକ ଭାବରେ ଖର୍ଚ୍ଚ କରିପାରୁ ନଥିବା ଯୋଗୁ ଆଜି ଓଡ଼ିଶା ଧନୀ ହୋଇଛି, କିନ୍ତୁ ଲୋକେ ଗରିବ ହେବାରେ ଲାଗିଛନ୍ତି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ପୂର୍ବ ମନ୍ତ୍ରୀ ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ହିମାଂଶୁ ଶେଖର ମେହେର, ରମେଶ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକ ଧନ୍ୟବାଦ ଦେଇଥିଲେ।