ରାୟଗଡ଼ା: ସାଧାରଣ ନିର୍ବାଚନରେ ମୂଳଦୁଆ ପଡ଼ିବା ପରେ ପଞ୍ଚାୟତ ନିର୍ବାଚନରେ ସ୍ଥିତି ମଜଭୂତ କରିବାକୁ ଯୋଜନା କରୁଛି ବିଜେପି। ସୋମବାରଠୁ ଗୁଣପୁରରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଦଳ ପ୍ରସ୍ତୁତ କରିବ ରଣନୀତି। ବିଜେଡ଼ି-କଂଗ୍ରେସକୁ ଚେକ୍ ଦେଇ ଜିଲ୍ଲା ପରିଷଦ, ବ୍ଲକ୍ ଦଖଲ ପାଇଁ ଜିଲ୍ଲା ପ୍ରଭାରୀ, ରାଜ୍ୟ ସାଧାରଣ ସଂପାଦକ, ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ହେବ ଅଙ୍କକଷା। ଜିଲ୍ଲା କାର୍ଯ୍ୟକାରିଣୀକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଉତ୍ସାହିତ ହୋଇ ପଡ଼ିଛନ୍ତି କର୍ମୀ।
ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ଲାଗି ହେବ ଭୋଟ ଗ୍ରହଣ। ସରକାରୀ ସ୍ତରରେ ଏ ନେଇ ଘୋଷଣା ହୋଇନଥିଲେ ମଧ୍ୟ ବେସରକାରୀ ଭାବେ ତାରିଖ ଚୂଡ଼ାନ୍ତ ହୋଇସାରିଥିବାରୁ ବିଜେଡ଼ି-କଂଗ୍ରେସ ପରେ ଏବେ ମଇଦାନକୁ ଓହ୍ଲାଇଛି ବିଜେପି। ବିଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆଖିଦୃଶିଆ ପ୍ରଦର୍ଶନ କରିନଥିଲା। ଚଳିତ ଥର ରାଜ୍ୟରେ ବିରୋଧୀ ଦଳ ଭାବେ ବିଜେପି ଥିବାରୁ ମୋଦି ହାୱାକୁ ଆୟୁଧ କରି ଭୋଟ ହାତେଇବାକୁ ଯୋଜନା କରିଛି ଦଳ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୨୨ ଆସନ ବିଶିଷ୍ଟ ରାୟଗଡ଼ା ଜିଲ୍ଲା ପରିଷଦରୁ ମାତ୍ର ୪ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ୧୧ ଆସନରେ ଜିତି ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡ଼ି ଖାତାକୁ ଯାଇଥିଲା ୭ ଆସନ। ପରବର୍ତ୍ତୀ ସମୟରେ ନିର୍ବାଚନୀ ମାମଲାକୁ ନେଇ କୋର୍ଟ କଂଗ୍ରେସର ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା କରିବା ପରେ ୨୦୨୦ରେ ଅନୁଷ୍ଠିତ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପିର ୨ ଜିଲ୍ଲା ପରିଷଦ ସଦସ୍ୟ ଦଳୀୟ ହୁଇପ ଅବମାନନା କରି ବିଜେଡ଼ି ପ୍ରାର୍ଥୀକୁ ସମର୍ଥନ କରି ଭୋଟ ଦେଇଥିଲେ। ଫଳରେ ବିଜେପି ଦୁଇ ଜିଲ୍ଲା ପରିଷଦ ସଦସ୍ୟକୁ ଦଳରୁ ସସପେଣ୍ଡ କରିଥିଲା।
୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେପି ଗୋଟିଏ ବି ଜିଲ୍ଲା ପରିଷଦ ଜିତିବାରେ ସକ୍ଷମ ହୋଇନଥିଲା। ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହାର ପ୍ରଭାବ ତୃଣମୂଳସ୍ତରରେ ପଡ଼ିବା ସହ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳକୁ ୪ ଜିଲ୍ଲା ପରିଷଦ ଆସନ ମିଳିଥିଲା। ସେହିପରି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ରାୟଗଡ଼ାରେ ପ୍ରଭାବହୀନ ଥିବା ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଭୋଟହାର ବୃଦ୍ଧିରେ ସକ୍ଷମ ହୋଇଥିଲା। ଦଳ ୩ ବିଧାନସଭା ଆସନରେ ଜିତିନଥିଲେ ମଧ୍ୟ ବିରୋଧୀ କଂଗ୍ରେସ ପରେ ତୃତୀୟ ସ୍ଥାନରେ ରହିଛି। ବିଶେଷ କରି ସହରାଞ୍ଚଳରେ ବିଜେପିର ଭୋଟହାରରେ ଯଥେଷ୍ଟ ବୃଦ୍ଧି ହୋଇଛି।
ଗତ ଅଗଷ୍ଟ ମାସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାୟଗଡ଼ା ଗସ୍ତ ଦଳ ପାଇଁ ଅଧିକ ଲାଭଦାୟକ ହୋଇଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପୂର୍ବରୁ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଜିଲ୍ଲା କମିଟି ସହ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା, ନଗର କମିଟିର ନବକଳେବର କରିଛନ୍ତି। କମିଟିରେ ବହୁ ଯୁବନେତାଙ୍କ ସହ ବିଜେଡ଼ି, କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ନେତୃବୃନ୍ଦଙ୍କୁ ସ୍ଥାନ ମିଳିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୋରାପୁଟ ଲୋକସଭା ଆସନରୁ ୯ ଥର ସଂସଦକୁ ନିର୍ବାଚିତ ହୋଇଥିବା ଡ. ଗିରିଧର ଗମାଙ୍ଗଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୟରାମ ପାଙ୍ଗିଙ୍କ ଭଳି ଅଭିଜ୍ଞ ନେତା ବିଜେପି ଶିବିରରେ ଅଛନ୍ତି। ଗୁଣପୁରରେ ହେବାକୁ ଥିବା ଜିଲ୍ଲା କାର୍ଯ୍ୟକାରିଣୀରେ ରାୟଗଡ଼ା ପ୍ରଭାରୀ ଗୋବିନ୍ଦ ଜୈନଙ୍କ ସହ ରାଜ୍ୟ ସାଧାରଣ ସଂପାଦକ ରବି ନାୟକ, ଡ. ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ଭଳି ବହୁ ପୁରୁଖା ଓ ଅଭିଜ୍ଞ ନେତା ଯୋଗଦେବେ। ଯାହା କର୍ମୀଙ୍କ ମନୋବଳକୁ ସୁଦୃଢ଼ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତରେ ଦଳ ପାଇଁ ସହାୟକ ହୋଇପାରେ।