ଭୁବନେଶ୍ବର: ଆଜିକୁ ଠିକ୍ ବର୍ଷକ ତଳେ ଅର୍ଥାତ୍ ଜୁନ୍ ୪ରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ୨୪ବର୍ଷର ବିଜେଡି ସରକାରକୁ ହଟାଇଥିଲା। ଆଉ ସପ୍ତାହକ ପରେ ବିଜେପି ସରକାରକୁ ଏକ ବର୍ଷ ପୂରିବ। ହେଲେ ଯେଉଁ ଦଳର ନେତାମାନେ ନିର୍ବାଚନ ପୂର୍ବରୁ ଏକଜୁଟ୍ ହୋଇଯାଇଥିଲେ ସେହି ନେତାମାନେ ନିର୍ବାଚନ ପରେ ଏମିତି ଖାପଛଡ଼ା ହୋଇଯାଇଛନ୍ତି ଯେ ଦଳର ରାଜ୍ୟ ସଭାପତି କିଏ ହେବେ, ସଂଗଠନ ଦାୟିତ୍ବ କାହାକୁ ଦିଆଯିବ, କେଉଁ ନିଗମ ଓ ବୋର୍ଡର ଅଧ୍ୟକ୍ଷ ଓ ଉପଦେଷ୍ଟା କିଏ ହେବେ ତାହା ସ୍ଥିର ହୋଇପାରୁନି। ସରକାରୀ ଓକିଲ ବି ନୂଆ ସରକାର ନିଯୁକ୍ତି ଦେଇପାରିନାହାନ୍ତି। ସବୁରି ମୂଳରେ ରହିଛି ରାଜ୍ୟ ସଭାପତି କିଏ ହେବେ। ନୂଆ ରାଜ୍ୟ ସଭାପତି ଯିଏ ହେବେ ତାଙ୍କରି ଟିମ୍କୁ ନିଯୁକ୍ତି ଦିଆଯିବ ବୋଲି ଦଳୀୟ ନିଷ୍ପତ୍ତି ହୋଇଥିବାରୁ ସବୁ ଏବେ ଅଧାରେ ଅଟକି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଦେଶର ମୋଟ୍ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪ଟିରେ ବିଜେପି ନୂଆ ରାଜ୍ୟ ସଭାପତି ଚୟନ କରିସାରିଲାଣି। ହେଲେ ବିଜେପି ସରକାର ଥିବା ଓଡ଼ିଶା ସମେତ ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏପର୍ଯ୍ୟନ୍ତ ରାଜ୍ୟ ସଭାପତି ଚୟନ ହୋଇପାରୁନି। କେବଳ ବିଜେପି ଶାସିତ ନୁହେଁ, କଂଗ୍ରେସ ସରକାର ଥିବା କର୍ଣ୍ଣାଟକ, ତେଲେଙ୍ଗାନା, ଟିଏମ୍ସି ସରକାର ଥିବା ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବି ରାଜ୍ୟ ସଭାପତି ବଛାଯାଇପାରୁନି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଜୁରାଟ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଦଳୀୟ ନେତାଙ୍କ ମଧ୍ୟରେ ତିକ୍ତତା ଯୋଗୁ ଦଳ ସଭାପତି ଚୟନ କରିପାରୁନି। ବିଜେପିର ଦଳୀୟ ନିୟମ ଅନୁଯାୟୀ, ଅଧାରୁ ଗୋଟିଏ ଅଧିକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟ ସଭାପତି ନିର୍ବାଚନ ସରିବା ପରେ ରାଷ୍ଟ୍ରୀୟ ସଭାପତି ଚୟନ ହୋଇପାରିବ। ବିଜେପି ଏବେ ଅନ୍ୟ ରାଜ୍ୟର ବିବାଦ ସମାଧାନ କରିବାରେ ବ୍ୟସ୍ତ ଥିବାରୁ ଓଡ଼ିଶା ଏବେ ଫୋକସ୍ରେ ନାହିଁ।
ତାଲିକାରେ ଯୋଡ଼ି ହେଲେଣି ଟଙ୍କଧର, ପଞ୍ଚାନନ, ସାରଦା
ଚଳିତ ମାସରେ ସବୁ ପଦପଦବି ଘୋଷଣା ହୋଇପାରେ
ଇତି ମଧ୍ୟରେ ମନମୋହନଙ୍କୁ ପୁଣି ସଭାପତି କରିବାକୁ ଦଳର ଗୋଟିଏ ଗୋଷ୍ଠୀ ଲବି କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ମନମୋହନଙ୍କୁ ସଭାପତି କରିବା ସପକ୍ଷରେ ନାହାନ୍ତି। ଯେପରି ଜିଲ୍ଲା ସଭାପତି ଚୟନ କ୍ଷେତ୍ରରେ ଦଳ କୌଣସି ସାଂସଦ ଓ ବିଧାୟକଙ୍କୁ ପଦବି ଦେଇନି ତାହା ବି ରାଜ୍ୟ ସଭାପତି ଚୟନରେ ଲାଗୁ କରିବାକୁ କୁହାଯାଉଛି। ଏହା ହେଲେ ମନମୋହନଙ୍କ ପଲ୍ଲା ଭାରି ରହୁଛି। ଏହା ବାଦ୍ ବିଜେପି ଉପସଭାପତି ଗୋଲକ ମହାପାତ୍ର ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଉଭୟଙ୍କର ସଂଗଠନରେ ଲମ୍ବା ସମୟ ଧରି ଅଭିଜ୍ଞତା ରହିଛି। ଏହା ମଧ୍ୟରେ ପୂର୍ବରୁ ସଂଗଠନ ଦାୟିତ୍ବରେ ଥିବା ଏବଂ ଆର୍ଏସ୍ଏସ୍ ସହ ଭଲ ସମ୍ପର୍କ ରଖିଥିବା ନେତାଙ୍କ ନାମ ସଭାପତି ପଦବି ପାଇଁ ସୁପାରିସ କରାଯାଇଥିବା ଜଣାପଡ଼ିଛି। ଏଥିରେ ପୂର୍ବତନ ସାଧାରଣ ସମ୍ପାଦକ (ସଂଗଠନ) ପଞ୍ଚାନନ ରାଉତ ଓ ସାରଦା ଶତପଥୀଙ୍କ ନାମ ଚର୍ଚ୍ଚାକୁ ଆସିଛି। ଏହି ଦୁଇ ନେତା ଉପକୂଳ ଓଡ଼ିଶାର। ପଞ୍ଚାନନ ଭଦ୍ରକର ଏବଂ ସାରଦା ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ଦଳକୁ ଉପକୂଳ ଓଡ଼ିଶାରେ ଅଧିକ ମଜବୁତ୍ କରିବାକୁ ଏଠାରୁ ଜଣେ ନେତାଙ୍କୁ ସଭାପତି କରିବାକୁ ଲବି କରିଛନ୍ତି।
ଦଳର ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ଆଉ ଏକ ସୂଚନା ଅନୁଯାୟୀ ଜଣେ ଯୁବ ନେତୃତ୍ବଙ୍କୁ ସଭାପତି ଦାୟିତ୍ବ ଦେବା ପାଇଁ ଆଲୋଚନା ଜୋର୍ ଧରିଛି। କାରଣ ଅତୀତରେ ବିମ୍ବାଧର କୁଅଁର, ଜୁଏଲ ଓରାମ, ସୁରେଶ ପୂଜାରୀ ଓ ମନମୋହନ ସାମଲଙ୍କୁ ୫୦ବର୍ଷରୁ କମ୍ ବୟସରେ ରାଜ୍ୟ ସଭାପତି କରାଯାଇଥିଲା। ଏପରିକି ଶ୍ରୀ ଓରାମ ୪୦ ବର୍ଷରୁ କମ୍ ବୟସରେ ସଭାପତି ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ନେତାମାନେ ମଧ୍ୟ ରାଜ୍ୟ ରାଜନୀତିରେ ସଫଳ ହୋଇଛନ୍ତି। ତେଣୁ ଏବେ ଜଣେ ଯୁବକଙ୍କୁ ରାଜ୍ୟ ସଭାପତି କରାଗଲେ ଦଳ ଅଧିକ ଯୁବବର୍ଗଙ୍କୁ ଆକୃଷ୍ଟ କରିପାରିବ ଏବଂ ପୂରା ଜୋସ୍ରେ କାମ କରିବ। ଏହି ଚର୍ଚ୍ଚାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନାଁ ଆଗରେ ରହିଛି। ଟଙ୍କଧର ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ସଭାପତି ଥିବାବେଳେ ଏବେ ବିଧାନସଭାରେ ତାଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବୀ ରହିଛି। ତାଙ୍କ ପଛରେ ବିଜେପିର ଏକ ଶକ୍ତିଶାଳୀ ଗୋଷ୍ଠୀର ଲବି ମଧ୍ୟ ଅଛି। ପୁଣି ସେ ପଶ୍ଚିମ ଓଡ଼ିଶାର ହୋଇଥିବାରୁ ଦଳକୁ ସୁହାଇବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ବୟସରେ ଯଥେଷ୍ଟ କମ୍ ହୋଇଥିବାରୁ ସରକାରଙ୍କ ସହ ଦଳର ତାଳମେଳ ଠିକ୍ ରହିବ ବୋଲି ଦଳ ଭିତରେ ଯୁକ୍ତି ଦର୍ଶାଯାଉଛି।
ସେହିପରି ଦଳର ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପୂର୍ବରୁ କିମ୍ବା ଠିକ୍ ପରେ ପରେ ଦଳର ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହୋଇପାରେ। ଏହାବାଦ୍ ବିଭିନ୍ନ ନିଗମ, ବୋର୍ଡର ଅଧ୍ୟକ୍ଷ, ଉପଦେଷ୍ଟା, ସରକାରୀ ଓକିଲଙ୍କ ନାମ ବି ଘୋଷଣା ହେବ। ଏଥିପାଇଁ ତାଲିକା ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି। ଯାହା ଅଳ୍ପ କିଛି ପରିବର୍ତ୍ତନ ହେବ। ରାଜ୍ୟରେ ପ୍ରାୟ ୧୫୦୦ ସରକାରୀ ଓକିଲ ନିଯୁକ୍ତି ପାଇଁ ଦଳ ତରଫରୁ ସମସ୍ତ ଜିଲ୍ଲାରୁ ତାଲିକା ମଗାଯାଇଥିବାବେଳେ ଏହାକୁ ଚୂଡ଼ାନ୍ତ କରି ଆଇନ ବିଭାଗକୁ ପଠାଯାଇଛି। ଚଳିତ ମାସରେ ସବୁ ପଦପଦବି ଘୋଷଣା ହୋଇପାରେ।