ଧାରଣା ପ୍ରତ୍ୟାହାର ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ଅଶୋଭନୀୟ ପରିସ୍ଥିତି ପାଇଁ ଖୋଦ ବାଚସ୍ପତି ଦାୟୀ

ବିଲ ଆଲୋଚନାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନି

ଭୁବନେଶ୍ୱର: ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳୁ ଧାରଣାରୁ ଉଠିବା ପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି | ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ  ବିଧେୟକ ପାରିତ ହେବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ ମୋର କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇଲେ ନାହିଁ । ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ବାଚସ୍ପତି ଶୁଣିଲେନି । ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା । ବିନା ଦୋଷରେ ଆମେ ଦଣ୍ଡିତ ହେଇଛୁ ।

ଗତକାଲି ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ଖୋଦ ବାଚସ୍ପତି ଦାୟୀ । ବିଜେଡିର ଖେଳନା ଭଳି କାମ କରୁଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ପ୍ରଦୀପ୍ତ । ବିରୋଧୀଙ୍କ କଥା ଶୁଣିବାକୁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ବାଧ୍ୟ କିନ୍ତୁ ବିଧାନସଭାରେ ତାହାର ବ୍ୟତିକ୍ରମ ହେଉଛି । ବିଧାନସଭା ଯେମିତି ନ ଚାଲୁ ତାହା ଚାହୁୁଁଛନ୍ତି ଶାସକ ଦଳ, କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ବଦନାମ ହେବାର ଭୟ ଥିବାରୁ ଏଭଳି କରୁଛନ୍ତି । ତେଣୁ ପାରିତ ହୋଇଥିବା ବିଲ୍ ବାବଦରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବୁ । ଏପରିକି ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିବାରୁ ଏହାକୁ ମଞ୍ଜୁରୀ ନ ଦେବାକୁ କହିବୁ ବୋଲି କହିଛନ୍ତି ପ୍ରଦୀପ୍ତ ।

ସମ୍ବନ୍ଧିତ ଖବର