ନାଗରିକତା ଆଇନକୁ ବିରୋଧ କଂଗ୍ରେସର ଦୋମୁହାଁ ନୀତି: ରାଜୀବ ରୁଡୀ

ପୁରୀ : ନାଗରିକତା ଆଇନ ଏକ ବହୁ ପ୍ରତୀକ୍ଷିତ ଆଇନ। ସାଂପ୍ରଦାୟିକ ଭେଦଭାବ ସୃଷ୍ଟିଠାରୁ ଏହି ଆଇନ ବହୁ ଦୂରରେ। ଏହାର ପ୍ରମୁଖ ଲକ୍ଷ୍ୟ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟକଙ୍କୁ ନାଗରିକତା ପ୍ରଦାନ କରିବା। ନିର୍ବାଚନ ମତଦାନ ଅଧିକାର ଦେବା। ପୂର୍ବରୁ କଂଗ୍ରେସ ବି ଏହି ଆଇନ ପ୍ରଣୟନ ଦିଗରେ ଚେଷ୍ଟା କରିଥିଲା। ଆମେ ଏହି ଆଇନକୁ କାର୍ଯ୍ୟକାରୀ କରି ଦେଖାଇଛୁ। ଏଣୁ କୌଣସି ପରିସ୍ଥିତିରେ ନାଗରିକତା ଆଇନ ପ୍ରତ୍ୟାହାରର ପ୍ରଶ୍ନ ଉଠୁନି। ଏ କ୍ଷେତ୍ରରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ବିଜେପି କେନ୍ଦ୍ରୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡୀ ଆଜି ପୁରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀ ରୁଡୀ କହିଛନ୍ତି ଯେ ନାଗରିକତା ଆଇନ ପାକିସ୍ତାନ, ବାଂଲାଦେଶ ଆଦି ଦେଶ ସହ ସମ୍ପର୍କ ଖରାପ କରିବ ବୋଲି ପ୍ରଚାର କରାଯାଉଛି। ମାତ୍ର ଏହା କେବଳ ଭ୍ରାନ୍ତ ଧାରଣା। ଆମେ ନିର୍ବାଚନ ଇସ୍ତାହାରରେ ଏହି ଆଇନ ଆଣିବୁ ବୋଲି କହିଥିଲୁ। ଆଜି ଏହାକୁ ଆଇନର ପରିଣତ କରିଛୁ। ନିକଟରେ କେରଳର ମୁଖ୍ୟମନ୍ତ୍ରୀ ଏହା ବିରୋଧରେ ସ୍ବର ଉଠାଇଛନ୍ତି। ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଚିଠି ଲେଖି ସମର୍ଥନ ମାଗିଛନ୍ତି। ଯେଉଁଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବି ରହିଛନ୍ତି। ଏହି ଆଇନ ଆଣିବାକୁ କେବଳ ବିଜେପି ଉଦ୍ୟମ କରି ନଥିଲା। ଯେଉଁ କଂଗ୍ରେସ ଆଜି ବିରୋଧୀ ସ୍ବର ଉଠାଉଛି, ଡ. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେହି କଂଗ୍ରେସ ହିଁ ଏହି ପ୍ରସଙ୍ଗ ଉଠାଇଥିଲା। ଆଜି ଯେତେବେଳେ ବିଜେପି ଏହାକୁ ଆଇନରେ ପରିଣତ କରିଛି, ଏବେ କଂଗ୍ରେସ ମତ ବଦଳାଇ ଏହା ବିରୋଧରେ ମତାନ୍ତର ସୃଷ୍ଟି କରୁଛି। କଂଗ୍ରେସର ଏହି ଦୋମୁହାଁ ନୀତି ଅଯଥାରେ ଲୋକଙ୍କୁ ଅସୁବିଧାରେ ପକାଉଛି। ଏହି ଆଇନ ସମସ୍ତଙ୍କ ହିତରେ କରାଯାଇଛି ବୋଲି ଶ୍ରୀ ରୁଡୀ ମତ ଦେଇଛନ୍ତି। ଯଦି କେହି କୌଣସି ମତାମତ ଦେବାର ଅଛି, ତେବେ ଟୋଲ୍ ଫ୍ରି ନମ୍ବର-୮୮୬୬୨୮୨୬୨ରେ ନିଜର ମତ ରଖିପାରିବେ ବୋଲି ସେ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ବିଜେପିର ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର