ସର୍କୁଲାର ୨୧୫୬ ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ

ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ଭୋଟିଂ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଦେଇଥିବା ସାର୍ଟିଫିକେଟ ଫର୍ମ-୧୧ରେ ଉଲ୍ଲେଖ ହୋଇଥିବା ସମୁଦାୟ ଭୋଟ ସଂଖ୍ୟା ଏବଂ ଭୋଟ ବାକ୍ସରୁ ବାହାରୁଥିବା ଭୋଟ ସଂଖ୍ୟାରେ ତାଳମେଳ ନ ରହିଲେ ଏହାକୁ ଭୋଟ୍‌ ଟାମ୍ପରିଂ କୁହାଯିବନି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରକୁ ବିରୋଧ କରି ଶୁକ୍ରବାର ଦିନ ରାଜ୍ୟ ବିଜେପି ପକ୍ଷରୁ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିିଙ୍କ ନେତୃତ୍ବରେ ଯାଇଥିବା ଏକ ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟିବା ପରେ ଏହାକୁ କମିସନ ପ୍ରତ୍ୟାହାର କରିଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ନିର୍ବାଚନ କମିସନ ମନ୍ଦ ଉଦ୍ଦେଶ୍ୟ ରଖି ଉପରୋକ୍ତ ସର୍କୁଲାର ଜାରି କରିଥିଲେ। ଯେଉଁଥିପାଇଁ ପ୍ରିଜାଇଡିଂ ଅଫିସର ଯେତିକି ଭୋଟିଂ ହୋଇଛି ଲେଖିକି ଦେବା ପରେ ଯଦି ଅଧିକ ବାଲଟ୍ ଭୋଟ୍‌ ବାକ୍ସରୁ ବାହାରୁଥିଲା ତେବେ ତାହାକୁ ବି ଗଣତି କରିବାକୁ କୁହାଯାଇଥିଲା। ହେଲେ ନିର୍ବାଚନ କମିସନଙ୍କୁ ଭେଟିବା ପରେ କମିସନ ଭୁଲ୍‌ ବୁଝି ପାରିଛନ୍ତି। ଆଉ କହିଛନ୍ତି ଯେ, ପ୍ରିଜାଇଡିଂ ଅଫିସର ଫର୍ମ-୧୧ରେ ଯେତିକି ଭୋଟ୍ ପଡ଼ିଛି ଲେଖିଥିବେ ସେତିକି ଭୋଟ୍ ଗଣତି ହେବ।

ଏହି ପ୍ରତିନିଧି ଦଳରେ ବିଧାୟକ ତଥା ରାଜ୍ୟ ଉପ ସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତା ଭୃଗୁ ବକ୍ସିପାତ୍ର, ସୁଦୀପ୍ତ ରାୟ, ରମାରଂଜନ ବଳିୟାର ସିଂହ, ଯତୀନ ମହାନ୍ତି, ଧୀରେନ ସେନାପତି, ସୁରଥ ବିଶ୍ୱାଳ, ଶଙ୍କର୍ଷଣ ପରିଡା ଓ ଜୟନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ବିଜେପିର ଉଦ୍ୟମ: ବିଜେଡି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ ବ୍ୟବଧାନରେ ପରାଜୟ ଜାଣିବା ପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି। ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ବିଜେପି ସଭାପତି ଉଦ୍ୟମ ଚଳାଇଛନ୍ତି ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଦେଓ କହିଛନ୍ତି ଯେ ଓଡ଼ିଶା ବିଜେପି ସଭାପତିଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇ ପଡ଼ିଥିବା ବିଜେପି କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା। ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି। ଓଡ଼ିଶାର ଲୋକ ଏକ ସ୍ୱରରେ ଓଡ଼ିଶା ବିଜେପିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପିକୁ ପରାସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ସମ୍ବନ୍ଧିତ ଖବର