ଦେଶବାସୀଙ୍କୁ ଅସମ୍ମାନିତ କରିଛି କଂଗ୍ରେସ: ବିଜେପି

ରାଜ୍ୟବ୍ୟାପୀ ବିଜେପିର ଆନ୍ଦୋଳନ, ସୋନିଆ, ରାହୁଲ ଓ ଅଧୀରଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନ କରିବାକୁ ନେଇ ଗୁରୁବାର ଦିନ ଦେଶବ୍ୟାପୀ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ବିଜେପି ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ପ୍ରତିବାଦ ଜଣାଇଛି। ଦେଶର ସମ୍ବିଧାନ, ଗଣତନ୍ତ୍ର ଏବଂ ଦେଶବାସୀଙ୍କୁ ଅସମ୍ମାନିତ କରିଛି କଂଗ୍ରେସ। ତେଣୁ ତୁରନ୍ତ ଦେଶବାସୀଙ୍କୁ କଂଗ୍ରେସ ନିଃସର୍ତ କ୍ଷମା ପ୍ରାର୍ଥନା କରୁ ବୋଲି ରାଜ୍ୟ ବିଜେପି ଦାବି କରିଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କୁ କଂଗ୍ରେସ ଦଳ ଅପମାନିତ କରିବା କେବଳ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନୁହେଁ ବରଂ ଦେଶବାସୀଙ୍କୁ ମଧ୍ୟ ଗଭୀର ଆଘାତ ଦେଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କେବଳ ରାଷ୍ଟ୍ରପତିଙ୍କୁ ଉପହାସ କରିନାହାନ୍ତି ବରଂ ରାଷ୍ଟ୍ରର ସମ୍ବିଧାନ, ଗଣତନ୍ତ୍ର, ରାଷ୍ଟ୍ରର ମର୍ଯ୍ୟାଦା ଏବଂ ରାଷ୍ଟ୍ରବାସୀଙ୍କୁ ଉପହାସ କରିଥିବା ଅଭିଯୋଗ କରିଛି ବିଜେପି। ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଶ୍ରୀ ଚୌଧୁରୀଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଦେଶବାସୀଙ୍କୁ ନିଃସର୍ତ କ୍ଷମା ପ୍ରାର୍ଥନା କରୁ କଂଗ୍ରେସ

ଭୁବନେଶ୍ୱରରେ ବିଜେପି ପକ୍ଷରୁ ବିଜେପି କାର୍ଯ୍ୟାଳୟରୁ ରାମମନ୍ଦିର ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଟଙ୍କଧର ତ୍ରିପାଠୀ, ହରିହର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ମନୋରଞ୍ଜନ ସ୍ୱାଇଁ, ନିରଞ୍ଜନ ରାଉତରାୟ, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ରାମଚନ୍ଦ୍ର ରଣସିଂ, ସନ୍ତୋଷ ଜେନା, ସୁରେନ୍ଦ୍ର ପ୍ରଧାନ, ରଶ୍ମିରଞ୍ଜନ ମୁଦୁଲି, ମନ୍ଦାକିନୀ ପାତ୍ର, ଉପେନ୍ଦ୍ର ଭଞ୍ଜ, ଉନ୍ନତି ପରିଡା, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ଆଲୋକ ସେଠୀ, ଭୀମସେନ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ମୟୂରଭଂଜ, କେନ୍ଦୁଝର, କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବ୍ରହ୍ମପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କଂଗ୍ରେସ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ସମ୍ବନ୍ଧିତ ଖବର