ଭୁବନେଶ୍ୱର : ଯେଉଁ ରାଜ୍ୟରେ ଖୋଦ୍ ମହିଳା ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଅସୁରକ୍ଷିତ, ସେଠାରେ ସାଧାରଣ ମହିଳା ସୁରକ୍ଷିତ ରହିବେ କେମିତି? ନିକଟ ଅତୀତରେ ମହିଳା ପୁଲିସ ଏସ୍ଆଇଙ୍କୁ ଆକ୍ରମଣ, ତହସିଲ୍ଦାରଙ୍କୁ ହତ୍ୟା ଧମକ ଓ ଆଜି ମହିଳା କ୍ରିକେଟର୍ ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ଘଟିବା ବିପର୍ଯ୍ୟୟ ଆଇନ ଶୃଙ୍ଖଳାକୁ ପ୍ରମାଣିତ କରିଛି। ତୁରନ୍ତ ଦୋଷୀକୁ ଗିରଫ କରିବା ସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନ ସଜାଡ଼ିଲେ, ଆନ୍ଦୋଳନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ସାଙ୍ଗଠନିକ ବିଜେପି ଜିଲ୍ଲା ସଭାପତି ବାବୁ ସିଂହ।
ଶୁକ୍ରବାର ଦିନ ରାମମନ୍ଦିର ସମ୍ମୁଖରେ ଜିଲ୍ଲା ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ନବୀନ ବାବୁ ଖେଳର ପ୍ରଚାର ପ୍ରସାର କରୁଛନ୍ତି। ଏଣେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। ଗତ ୧୧ ତାରିଖ ଦିନ ରାଜଶ୍ରୀ ନିଖୋଜ ହୋଇଥିଲେ। ଆଜି ତାଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଗଲା। ମୃତ ରାଜଶ୍ରୀଙ୍କ ପରିବାର ତରଫରୁ ହତ୍ୟା ଅଭିଯୋଗ ହୋଇଛି। ଏଣୁ ଏହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି। ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଏଥିରେ ବିଜେପି ଜିଲ୍ଲା ସଂଗଠନର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।