ସରକାରଙ୍କ ବିରୋଧରେ ଗର୍ଜିଲେ ଅପରାଜିତା ଓ କଂଗ୍ରେସ
ବିଜେପିକୁ ଆକ୍ଷେପ କରି ମୁହଁତୋଡ଼ ଜବାବ ଦେଲା ବିଜେଡି

Advertisment

ଭୁବନେଶ୍ବର : ମାହାଙ୍ଗା ଡବଲ ମର୍ଡରକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି େହାଇଛି। ହତ୍ୟାର ୪୮ ଘଣ୍ଟା ପରେ ବି ଅର୍ଥାତ୍ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଅନ୍ୟପଟରେ ବୟାନ ବାଜି ସହିତ କଂଗ୍ରେସକୁ ପଛରେ ପକାଇ ବିଜେପି ଆଜି ଏହି ଘଟଣାରେ ସରକାରଙ୍କ ବିରୋଧରେ ବଡ଼ ଆନ୍ଦୋଳନ ଆରମ୍ଭ କଲାଣି। କେବଳ ସେତିକି ନୁହେଁ, ଅବିଭକ୍ତ କଟକ ଜିଲ୍ଲାରୁ ଡେଇଁ ସମଗ୍ର ରାଜ୍ୟକୁ ଏହି ପ୍ରସଙ୍ଗ ପହଞ୍ଚାଇବା ଲାଗି ଦଳ ଘୋଷଣା କରିଛି। ଅନ୍ୟପଟେ ବିଜେଡି ମୁହଁତୋଡ଼ ଜବାବ ଦେଇ ରାଜନୈତିକ ହିଂସା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ସଂପର୍କରେ ସୂଚାଇଛି।

ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ଆଜି ରାଜଧାନୀ ଭୁବନେଶ୍ବର ଓ ଅବିଭକ୍ତ କଟକ ଜିଲ୍ଲାରେ ବିକ୍ଷୋଭ କରିଥିଲା। ଦଳ ଘୋଷଣା କରିଛି ଯେ ଆସନ୍ତାକାଲି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ପୁଲିସ ଥାନା ସମ୍ମୁଖରେ ବିକ୍ଷୋଭ କରାଯିବ। ୬ ତାରିଖରେ ରାଜ୍ୟର ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ। କେବଳ ସେତିକି ନୁହେଁ, ୮ ତାରିଖ ଦିନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତାମାନେ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିବେ। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣାରେ ଆଉ ଦି’ ପାଦ ଆଗକୁ ଯାଇ କହିଛନ୍ତି, ‘ଜଗନ୍ନାଥଙ୍କ ଭୂମିରେ ଏମିତି ଘଟଣା କେମିତି ସମ୍ଭବ? ଓଡ଼ିଶାବାସୀ ଶାନ୍ତିପ୍ରିୟ। କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ଅଦ୍ଭୂତ ପରିସ୍ଥିତି ସୃଷ୍ଟି ହୋଇଛି। ମୁଁ ବିପକ୍ଷ ଦଳରେ ଅଛି ବୋଲି କହୁନି, ଓଡ଼ିଶାବାସୀ ହିସାବରେ କହୁଛି।’ ୧୭ଜଣ ରାଜନୈତିକ ନେତାଙ୍କୁ ହତ୍ୟା କରାଯାଇଛି। କେବଳ ଗତ ପଞ୍ଚାୟତ ନିର୍ବାଚନରେ ୧୪ ଜଣଙ୍କୁ ହତ୍ୟା କରାଯାଇଛି। ସାଧାରଣ ନିର୍ବାଚନ ବେଳେ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଗଲା। କେବଳ ନିର୍ବାଚନ ଜିତିବା ପାଇଁ ବିଜୁ ଜନତା ଦଳର ନେତାମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦଳମତ ନିର୍ବିଶେଷରେ ସବୁ ଓଡ଼ିଶାବାସୀ ଏହାର ନିନ୍ଦା କରିବା ଦରକାର।

publive-image

ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅଛି। ତେଣୁ ଅପରାଧ ମୁକ୍ତ ପରିସ୍ଥିତି ସୃଷ୍ଟି କରିବା ତାଙ୍କ ଦାୟିତ୍ୱ। ଯଦି ଅପରାଧ ଘଟୁଛି ତେବେ ନିର୍ଦ୍ଦିଷ୍ଟ ସମୟ ଭିତରେ ଦୋଷୀ ଦଣ୍ଡ ପାଇବା ଦରକାର। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟରେ ନାରୀ ନିର୍ଯାତନା ମାମଲାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁଛି। ଏହି କଥା ଲୋକଲୋଚନକୁ ଆଣିବାରୁ ହତ୍ୟାକାଣ୍ଡ ହୋଇଛି। ଦୁର୍ନୀତି ମାମଲାରେ ରାଜସ୍ଥାନ ତଳକୁ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ନେବାକୁ ଚେଷ୍ଟା କରୁଛି ବିଜେଡି ସରକାର। ଏ ନେଇ କେନ୍ଦ୍ରର ବିଭିନ୍ନ ବିଭାଗକୁ ସେ ଖୁବଶୀଘ୍ର ଚିଠି ଲେଖିବେ ଓ ଆସନ୍ତା ୧୫ ଦିନ ଭିତରେ ଏହି ୧୭ ରାଜନୈତିକ ହତ୍ୟାକାଣ୍ଡର ପ୍ରକୃତ ସ୍ଥିତି କଣ ଅଛି ତାହା ସେ ସମୀକ୍ଷା କରିବେ ବୋଲି ଅପରାଜିତା ଗଣମାଧ୍ୟମକୁ କହିଛନ୍ତି।

କଂଗ୍ରେସ ମଧ୍ୟ ଏହି ଘଟଣାରେ ଗର୍ଜନ କରିଛି। ରାଜ୍ୟ‌ରେ ଆଇନ୍‌ଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି। ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ। ଏସବୁକୁ ଆଡ଼େଇ ଦେଇପାରିବେନି। ଯାହା ପଛରେ ଯାହା ମାମଲା ରହିଛି, ତାହାକୁ ବାହାର କରି ଦଣ୍ଡ ଦେବାକୁ ଦାବି କରିଥିଲେ। ତାହା ହେଲେ ଯାଇ ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ଆସିବ ବୋଲି ସେ କହିଥିଲେ। ସେହିଭଳି ହତ୍ୟା ମାମଲରେ ଏତଲା କପିରେ ଆଇନ ମନ୍ତ୍ରୀଙ୍କ ନାଁ ଥିବା ସତ୍ତ୍ୱେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀ ଯୋଗଦେବା ଲଜ୍ଜାଜନକ ବୋଲି ଶ୍ରୀ ରାଉତରାୟ କହିଥିଲେ।

ଅନ୍ୟପକ୍ଷରେ ବିଜେଡି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ଆଜି ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ ରାଜନୈତିକ ହିଂସା କ୍ଷେତ୍ରରେ ଓଡ଼ିଶା ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆସିଛନ୍ତି। ବିଜେପି ନାମ ନ ନେଇ ଶ୍ରୀ ସାହୁ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ଶାସନ କରୁଥିବା ଦଳଗୁଡିକ ବ୍ୟାପକ ରାଜନୈତିକ ହିଂସାରେ ମାତି ଥିବାରୁ ସେମାନେ ଓଡିଶା ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଏନ୍‍ସିଆରବିର ‘କ୍ରାଇମ ଇନ୍‍ ଇଣ୍ଡିଆ ୨୦୧୯’ ରିପୋର୍ଟ ଅନୁଯାୟୀ ଏହିବର୍ଷ ଓଡିଶାରେ ଗୋଟିଏ ହେଲେ ରାଜନୈତକ ହିଂସା ଘଟିନାହିଁ। ୨୦୧୯ରେ ପଶ୍ଚିମବଙ୍ଗରେ ୧୨ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଥିବା ବେଳେ ବିହାରରେ ୬ଟି ଏବଂ ଝାଡଖଣ୍ଡ, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି କରି ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳର ସରକାର ଶାସନ କରୁଛନ୍ତି।

publive-image

ସେହିଭଳି ମାହାଙ୍ଗାରେ ଦୁଇ ଜଣଙ୍କ ହତ୍ୟା ଘଟଣାରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ଏବଂ ଅପରାଧୀଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ଏସ୍‍.ପି ବି.ଯୁଗଳକିଶୋର କହିସାରିଛନ୍ତି। ଏହି ହତ୍ୟାକାଣ୍ଡ ପଛର ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତକୁ ଅପେକ୍ଷା କରାଯାଉଛି । ବିଜେଡି କୌଣସି ପ୍ରକାର ରାଜନୈତିକ ହିଂସାକାଣ୍ଡକୁ ପ୍ରଶୟ ଦିଏ ନାହିଁ ଏବଂ ମାହାଙ୍ଗା ଘଟଣାରେ ମଧ୍ୟ ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ଗତ ୨ ତାରିଖ ଦିନ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଦି ତୁରନ୍ତ ଗିରଫ ନକରାଯାଏ, ତାହେଲେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଭୟାଭୟ ରୂପ ନେବ। ଶାସକ ବିଜେଡିକୁ କାଠଗଡାରେ ଠିଆ କରାଇବା ପାଇଁ ଭାରତୀୟ ଜନତା ପାର୍ଟି ଲଢେଇ ଜାରି ରଖିବ। ଏଥିସହିତ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ଡ. ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।