ଅର୍ଣ୍ଣପାଳ-ରାଜୁଆଳିବିନ୍ଧା ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥା ପ୍ରତିବାଦରେ ବିଜେପିର ରାସ୍ତାରୋକ

ଅସୁରାଳି : ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଅର୍ଣ୍ଣପାଳ-ରାଜୁଆଳିବିନ୍ଧା ସଡ଼କର ବିପର୍ଯ୍ୟସ୍ତ ଅବସ୍ଥା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି।ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅର୍ଣ୍ଣପାଳ ଛକ ଠାରୁ ରାଜୁଆଳିବିନ୍ଧା ପର୍ଯ୍ୟନ୍ତ ଯାଇଥିବା ଆଠ କିଲୋମିଟର ଦୂରତାର ସଡ଼କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଭଦ୍ରକ ସମେତ ଧାମନଗର ଏବଂ ତିହିଡି ବ୍ଲକବାସୀ ଗମନାଗମନ କ୍ଷେତ୍ରରେ ପ୍ରତ୍ୟହ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅର୍ଣ୍ଣପାଳ ଠାରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନକୁ ମଧ୍ୟ ଆସିଥାନ୍ତି। କିନ୍ତୁ ଉପଯୁକ୍ତ ମରାମତି ନହେବା ଯୋଗୁଁ ଗତ ଦୁଇବର୍ଷ ହେଲା ଏହି ରାସ୍ତା ଗମନାଗମନ ଅନୁପଯୋଗୀ ହୋଇଯିବା ସହ ଅତ୍ୟନ୍ତ ଖରାପ ହୋଇଛି। ରାସ୍ତାର ପୁନଃନିର୍ମାଣ ପାଇଁ ବିଭାଗ ନିକଟରେ ବାରମ୍ବାର ଦାବି ସ୍ୱତେ ଏଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। ବିଭାଗୀୟ ସ୍ଥାଣୁତାର ପ୍ରତିବାଦରେ ବୁଧବାର ସକାଳ ୧୦ଟାରୁ ସାତଭଉଣୀ ମଣ୍ଡଳ ବିଜେପି ପକ୍ଷରୁ ଅର୍ଣ୍ଣପାଳ ଛକ ନିକଟରେ ରାଜୁଆଳିବିନ୍ଧା-ଅର୍ଣ୍ଣପାଳ ରାସ୍ତା ଅବରୋଧ କରାଯାଇଥିଲା। ଆରଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବିଜେପିର ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ବିଜେପି କର୍ମୀମାନେ ରାସ୍ତାରେ ଧାନ ବିହନ ପୋତିଥିଲେ।

ସମ୍ବନ୍ଧିତ ଖବର