ଦିବ୍ୟଶଙ୍କରଙ୍କୁ ବହିଷ୍କାର, ସିବିଆଇ ତଦନ୍ତ ନ ହେବା ଯାଏ ଲଢ଼େଇ ହେବ: ବିଜେପି

Advertisment

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବିରେ ଗୁରୁବାର ଦିନ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି। ଉତ୍ତ୍ୟକ୍ତ କର୍ମୀମାନେ ଲୋୟର ପିଏମ୍‌ଜିରେ ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭାକୁ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଲୋୟର ପିଏମ୍‌ଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା। ବିଜେପି କର୍ମୀମାନେ ପୁଲିସ ଉପରକୁ ଢେଲା ମାଡ଼ କରିବାରୁ ୧୫ରୁ ଅଧିକ ପୁଲିସ, ୪ଜଣ ସାମ୍ବାଦିକ ଆହତ ହୋଇଛନ୍ତି। ଢେଲା ମାଡ଼ର ଜବାବ୍ ଦେବାକୁ ଯାଇ ପୁଲିସ ଲାଠି ଚାଳନା କରିବାରୁ ୧୦ରୁ ଅଧିକ ବିଜେପି କର୍ମୀ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରି ଛଡ଼ାଯାଇଛି।

publive-image

ବିଜେପିର ହଜାର ହଜାର କର୍ମୀ ଗୁରୁବାର ଦିନ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ରାମ ମନ୍ଦିର ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଯିବାକୁ ଉଦ୍ୟମ କରିଥିଲେ। ଏହାପରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେ‌ଲା ହୋଇଥିଲା। ଏହାପରେ ପରିସ୍ଥିତି ଅଶାନ୍ତ ହେବାକୁ ଲାଗିଥିଲା। କିଛି ବିଜେପି କର୍ମୀ ପୁଲିସ ଉପରକୁ ଢେଲା ମାଡ଼ କରିବାରୁ କେତେକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୧୫ଜଣ ପୁଲିସ ଆହତ ହୋଇଥିଲେ। ଏହି ଢେଲା ମାଡ଼ରେ ସମ୍ବାଦ ଫଟୋ ସାମ୍ବାଦିକ ବିଭୂତି ସାହୁଙ୍କ ସମେତ ଅନ୍ୟ ଗଣମାଧ୍ୟମର ସାମ୍ବାଦିକମାନେ ମଧ୍ୟ ଆହତ ହୋଇଥିଲେ। ଏପରିକି ବିଜେପି କର୍ମୀମାନେ ଦୁଇରୁ ତିନି ଜଣ ପୁଲିସ କର୍ମଚାରୀଙ୍କୁ ତଳେ ପକାଇ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ହଠାତ୍ ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯିବା ସହ ଶତାଧିକ ବିଜେପି ନେତା ଓ କର୍ମୀଙ୍କୁ ବିକ୍ଷୋଭସ୍ଥଳରୁ ଉଠାଇ ନିଆଯାଇଥିଲା। ଉତ୍ତ୍ୟକ୍ତ କର୍ମୀମାନେ ୮ଟି ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାପରେ ପ୍ରାୟ ଦେଢ଼ ଘଣ୍ଟାର ହରତାଳ ଶାନ୍ତ ପଡ଼ିଥିଲା।

publive-image

ଆହତ ପୁଲିସ କର୍ମଚାରୀଙ୍କୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ୟାପିଟାଲ ହସ୍ପିଟାଲରେ ଭେଟିବା ସହ ସାନ୍ତ୍ବନା ଦେଇଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାଏକ ପ୍ରମୁଖ ଆହତ ବି‌ଜେପି କର୍ମୀ ଓ ପୁଲିସ କର୍ମଚାରୀଙ୍କୁ ଭେଟିଛନ୍ତି। ଏହାପରେ ଶ୍ରୀ ମହାନ୍ତି କହିଛନ୍ତି ଯେ ପୁଲିସର ଦାୟିତ୍ୱ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା। କିନ୍ତୁ ତାହା ନକରି ଶାସକ ବିଜେଡିର ହାତବାରିସୀ ସାଜି ବିରୋଧୀଙ୍କୁ ମାଡ଼ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୁଲିସ ଶୋଭାଯାତ୍ରାକୁ ବଳପ୍ରୟୋଗ କରି ଅଟକାଇବା ସହ କାର୍ଯ୍ୟକର୍ତ୍ତାଙ୍କୁ ଭୟଙ୍କର ମାଡ଼ ମାରିବାରୁ ବହୁ ଯୁବ ଓ ମହିଳା କର୍ମକର୍ତ୍ତା ଆହତ ହୋଇଛନ୍ତି। ହେଲେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଏବଂ ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ।

publive-image

ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ ମାହାଙ୍ଗା ଟ୍ରିପଲ୍ ମର୍ଡର ଘଟଣାରେ କୋର୍ଟ କହିଲା ପରେ ବି ପୁଲିସ ନିଷ୍କ୍ରିୟ। ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ନବୀନ ବାବୁଙ୍କ ସରକାର ଅପରାଧୀଙ୍କୁ ପୁଲିସ ମାଧ୍ୟମରେ ଖସାଇ ଦେଉଥିବା ବେଳେ ବିରୋଧୀଙ୍କ ଆନ୍ଦୋଳନକୁ ପୁଲିସ ଲଗାଇ ଦମନ କରୁଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ମମିତା ମେହେରଙ୍କୁ ନ୍ୟାୟ ପାଇଁ ବିରୋଧୀ ଆନ୍ଦୋଳନ କରୁଥିବା ବେଳେ ଶାସକ ବିଜେଡି ଆତ୍ମରକ୍ଷା ପାଇଁ ବାଦି ପାଲା ନାଟକ କରୁଛି। । ମମିତା ହତ୍ୟା ଘଟଣାରେ ଉତ୍ତର ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ତାଲା ପକାଇଛି କିଏ? ବିଧାନସଭାକୁ ନଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ରେ ଜଞ୍ଜିର କିଏ ପକାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ବିଧାନସଭା ଘେରାଉ ପୂର୍ବରୁ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ୍‌ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟନ୍ତ ଷଡଙ୍ଗୀ, ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡଜେନା, ରାଜ୍ୟ ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର, ଦୀପକ ଗୋଚ୍ଛାୟତ, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ।