୮ରେ ସଚିବାଳୟ, ନବୀନ ନିବାସ ଘେରିବ ବିଜେପି

ବିଜେଡିର ସଂସଦ ଘେରାଉର ଜବାବ

ଭୁବନେଶ୍ବର: ଚାଷ ଓ ଚାଷୀ ପ୍ରସଙ୍ଗରେ ଆସନ୍ତା ଜାନୁଆରି ୮ ତାରିଖରେ ନୂଆଦିଲ୍ଲୀରେ ସଂସଦ ଘେରାଉ କରିବ ବିଜେଡି। ଗତକାଲି ଦଳ ପକ୍ଷରୁ ଏ ନେଇ ଘୋଷଣା ପରେ ବିଜେପି ପକ୍ଷରୁ ଜବାବୀ ଆନ୍ଦୋଳନ ଡାକରା ଦିଆଯାଇଛି। ସେହି ୮ ତାରିଖରେ ବିଜେପି ଭୁବନେଶ୍ବରରେ ସଚିବାଳୟ ଓ ନବୀନ ନିବାସ ଘେରାଉ କରିବ। ସାରା ରାଜ୍ୟରୁ ଚାଷୀ ଆସି ଏଠାରେ ମେଳି କରିବେ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି କହି‌େଲ, ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀମାନଙ୍କ ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ। ଚାଷୀ ଧାନ ଅମଳ କରି ବିକିବାକୁ ବସିଥିଲା ବେଳେ କେଉଁଠି ମଣ୍ଡି ନାହିଁ ତ କେଉଁଠି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା। ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀମାନେ ନିଜ ହକ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ଘୋଷଣା କରିଥିଲେ। କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ। ଦୀର୍ଘ ଦିନ ତଳୁ ମୁଖ୍ୟମନ୍ତ୍ରୀ କୃଷି ଋଣ ଛାଡ଼ ସରକାରଙ୍କ ବିଚାରାଧୀନ ରହିଛି ବୋଲି ବକ୍ତବ୍ୟ ଦେଇଛନ୍ତି। ‌କିନ୍ତୁ ଏ ଯାଏଁ ଋଣ ଛାଡ଼ କରାଯାଇ ନାହିଁ। କୃଷି କମିସନ୍ ୨୦୧୨ ମସିହାରେ ତିଆରି ହୋଇଥିବା ସତ୍ତ୍ବେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ସାର୍ବଜନୀନ ହୋଇ ନାହିଁ? ଏହାର ସୁପାରିସ୍ କେବେ କାର୍ଯ୍ୟକାରୀ ହେବ ? ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି। ଶୀତଳ ଭଣ୍ଡାର ସଂଖ୍ୟା ବଢ଼ିପାରିଲା ନାହିଁ। କୃଷି ମିସନ୍, ଆଳୁ ମିସନ୍ ସବୁ ବିଫଳ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ବରା କମ୍ ଦରରେ ଧାନ କିଣାଯାଇ ଆନ୍ଧ୍ର ଓ ଛତିଶଗଡ଼ରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି।

ଏ ସବୁ ସମସ୍ୟାର ପ୍ରତିବାଦରେ ଚାଷୀମାନଙ୍କୁ ଏକାଠି କରି ସାରା ରାଜ୍ୟରେ ୪୦୦୦ରୁ ଅଧିକ ମଣ୍ଡିରେ ଚାଷୀମାନେ ନିଜ ଅଧିକାର ପାଇଁ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ନିମନ୍ତେ ଆଜି ଠାରୁ ଜାନୁଆରି ୭ ପର୍ଯ୍ୟନ୍ତ ବିଜେପି କୃଷକ ମୋର୍ଚ୍ଚା ମେଳି କରିବ। ୮ ତାରିଖରେ ଚାଷୀମାନେ ଭୁବନେଶ୍ବରରେ ନିଣ୍ଣାୟକ ଲଢ଼େଇ କରିବାକୁ ନବୀନ ନିବାସ ଓ ସଚିବାଳୟ ଘେରାଉ କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁ, ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଓ ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଜେପିର ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଜେପି ଓଡ଼ିଶାର ଚାଷୀଙ୍କ ପ୍ରତି ବିଶ୍ବାସଘାତକତା କରିଛି। ଯଦି ସତ୍‌ସାହାସ ଅଛି, ଆସନ୍ତା ଦିନମାନଙ୍କରେ କେନ୍ଦ୍ର ସରକାର କୃଷି ଋଣ ଛାଡ଼ କରି ଦେଖାନ୍ତୁ। ବିଜେପି ଧାନ ମଣ୍ଡି ପରିଦର୍ଶନ କରିବା ଏକ ଜୁମ୍‌ଲାବାଜୀ ଓ ଶସ୍ତା ରାଜନୀତିର ପ୍ରତୀକ। ଯଦି ଇଚ୍ଛାଶକ୍ତି ଥିଲା, ଧାନର ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରିଥା’ନ୍ତେ। ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପ୍ରତିଶ୍ରୁତିରେ ରହିଗଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ ଗୁଣା କଲେ ନାହିଁ ଓ ସ୍ବାମୀନାଥନ୍ କମିସନ୍ ରିପୋର୍ଟ ସୁପାରିସ୍‌କୁ ମଧ୍ୟ କାର୍ଯ୍ୟକାରୀ କ‌େଲ ନାହିଁ। ଏଥିରେ ବିଜେପିର ଚାଷୀ ବିରୋଧୀ ନୀତି ସ୍ପଷ୍ଟ ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର