ପ୍ରଧାନମନ୍ତ୍ରୀଙ୍କ ବ୍ୟଙ୍ଗ ଫଟୋକୁ ନେଇ ଉତ୍ତେଜନା : ଥାନାରେ ମାମଲା, ମୁଖ୍ୟରାସ୍ତା ଅବରୋଧ କଲା ବିଜେପି

ଜୟପୁର : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଅନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବ୍ୟଙ୍ଗ ଫଟୋ ପ୍ରଦର୍ଶନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ସଜୟପୁର ଟାଉନ୍‌ ଥାନାରେ ଅଭିଯୋଗ କରିବା ସହିତ ମୁଖ୍ୟରାସ୍ତା ଅବରୋଧ କରିଥିଲେ। ପରବର୍ତୀ ସମୟରେ ଡାକସେବକ ସଂଘ ପକ୍ଷରୁ ଭାବେ କ୍ଷମା ପ୍ରାର୍ଥନା କରାଯିବାରୁ ଘଟଣା ଶାନ୍ତ ପଡିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅସବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଟକ ଆସିଥିଲେ। ତେବେ ସକାଳୁ ସକାଳୁ ମୋଦିଙ୍କ ଏହି ଗସ୍ତକୁ ଗ୍ରାମୀଣ ଡାକସେବକ ବିରୋଧ କରିଥିଲେ। ମୋଦି ଭୋଟ ଭିକ୍ଷା କରିବାକୁ ଆସିଥିବା କହି ଡାକସେବକମାନେ ନାରାବାଜି ଦେଇଥିଲେ। ଏଥିସହ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଏକ ବ୍ୟଙ୍ଗାତ୍ମକ ଫଟୋ ଲଗାଇ ସେଥିରେ ‘ନରେନ୍ଦ୍ର ମୋଦି ଓଡ଼ିଶାକୁ ଭୋଟ ମାଗିବାକୁ ଆସିଛନ୍ତି’ ବୋଲି ଉଲ୍ଲେଖ କରିଥିଲେ। ଉକ୍ତ ଫଟୋ ସମ୍ମୁଖରେ ଏକ ଥାଳି ରଖି କିଛି ଖୁଚୁରା ଟଙ୍କା ବି ପକାଇଥିଲେ। ବିଜେପି କର୍ମୀଙ୍କ ନଜରରେ ଏହି ଦୃଶ୍ୟ ଆସିବାରୁ ନଗର ବିଜେପି ସଭାପତି ଅମରଲାଲ ଆହୁଜାଙ୍କ ନେତୃତ୍ୱରେ ବହୁ କର୍ମୀ ଟାଉନ ଥାନାରେ ଡାକସେବକଙ୍କୁ ଗରିଫ କରିବାକୁ ଦାବି କରିଥିଲେ। ଘଟଣା ତୀବ୍ର ରୂପ ନେବା ପୂର୍ବରୁ ଡାକସେବକ ସଂଘ ପକ୍ଷରୁ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରାଯାଇଥିଲା। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର