ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

କେନ୍ଦୁଝର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ଓ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି କେନ୍ଦୁଝର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବୁକ୍‌ ସର୍କୁଲାର ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରିଥିବା ତିଲେଇବଣି ବିଡିଓଙ୍କୁ ତୁରନ୍ତ ଗିରଫ କରିବାକୁ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଦାବି କରିଛନ୍ତି। ଜନପ୍ରତିନିଧି ତଥା ବିଧାୟକ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସରକାରୀ ଅଧିକାରୀମାନେ ଜନପ୍ରତିନିଧିଙ୍କୁ ଅବଜ୍ଞା ଏବଂ ଅସମ୍ମାନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ଶ୍ରୀ ମାଝୀ କହିଛନ୍ତି। ସରକାର ଏପରି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବାରୁ ଗଣତନ୍ତ୍ର ପାଇଁ ଏହା ବିପଦ।

ତିଲେଇବଣି ବିଡିଓଙ୍କ ବିରୋଧରେ ବୁକ୍ ସର୍କୁଲାର ୪୭ର ଅବମାନନା ଓ ବିଧାୟକଙ୍କୁ ଦୁର୍ବ୍ୟବହାର ପାଇଁ ତୁରନ୍ତ ଗିରଫ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ବିରୋଧରେ ଚାଲିଥିବା ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି। ଏହି ବିକ୍ଷୋଭରେ ଜିଲ୍ଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଅନୁବ୍ରତ ବେହେରା, ଜ୍ଞାନରଞ୍ଜନ ସାମନ୍ତସିଂହାର, ସମ୍ପାଦକ ଦୀପକ ଜେନା, ନମାମିଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମିତା ନାୟକ, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର, ଦିଲୀପ ପଣ୍ଡା, ସୁବ୍ରତ ମହାନ୍ତି, ଆଲୋକ ସେଠୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ସାଧାରଣ ସମ୍ପାଦକ ସବୀର ଦାଶ, ଅକ୍ଷୟ କୁମାର ମହାରଣା, ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଆଦିବାସୀ ମୋର୍ଚ୍ଚା ସଭାପତି ମାନସ ନାୟକ, ଜିଲ୍ଲା ବିଜେପି ଉପସଭାପତି ଗଣେଶ୍ୱର ମହାନ୍ତ, ଅଗନୁ ଚରଣ ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର