ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ

ଇବଥର୍ମାଲ : ରାଜ୍ୟ ସରକାରଙ୍କ ବିଦ୍ୟୁତ୍‌ ଶୁଳ୍କର ଅହେତୁକ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍‌କାଟ ଓ ଲୋ ଭୋଲଟେଜ୍ ସମସ୍ୟା ପ୍ରତିବାଦରେ ବୁଧବାର ବନ୍ଧବାହାଲ ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ପ୍ରଥମ ୧୦୦ ୟୁନିଟ ପାଇଁ ଗୋଟିଏ ସ୍ଲାବ କରାଯିବା, ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ କରି ୨୪ ଘଣ୍ଟା ସେବା ଯୋଗାଣ, ଲୋ-ଭୋଲଟେଜ୍ ସମସ୍ୟା ଦୂର କରିବା ଆଦି ଅନ୍ତର୍ଭୁକ୍ତ। ଆଜିର ବିକ୍ଷୋଭରେ ମଣ୍ଡଳ ସଭାପତି ହେମନ୍ତ ପଟେଲଙ୍କ ନେତୃତ୍ବରେ ଜିଲ୍ଲାପରିଷଦ ସଭ୍ୟ ସାମଲ ନାଏକ, ବିଶ୍ବନାଥ ଭୋଇ, ପ୍ରସନ୍ନ ପାଢ଼ୀ, ବିଜୟ ସେଠ, ପ୍ରଶାନ୍ତ ତ୍ରିପାଠୀ, ଆଲୋକ ସାହୁ, ଅଲେଖ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସେହିପରି ବନ୍ଧବାହାଲ ମଣ୍ଡଳ ପକ୍ଷରୁ ରମ୍ପେଲା ସେତୁ ନିକଟରେ ଦଳର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୧୩ଟି ଚିଠା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଗୃହୀତ ହୋଇଥିଲା।ଏହା ଛଡ଼ା ଲଖନପୁର କୋଇଲା କ୍ଷେତ୍ର, ଓପିଜିସି ଆଦି ଶିଳ୍ପ ସଂସ୍ଥାରେ କାମ କରୁଥିବା ଠିକା ସଂସ୍ଥା ସ୍ଥାନୀୟ ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବା, ଛର୍ଲା କୋଇଲା ସାଇଡିଙ୍ଗ ଯୋଗୁ ହେଉଥିବା ବ୍ୟାପକ ପ୍ରଦୁଷଣ ଓ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ସଂପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ସଭାପତି ମଙ୍ଗଳ ସାହୁ, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନାଏକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ରୀନା ପଟେଲ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର