ପୁରୀ : କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ପକ୍ଷରୁ ପ୍ରାଥମିକତା ଦିଆଯିବ। ୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ବିଜୟ ଏବଂ ଓଡ଼ିଶାରେ ସରକାର ଗଠନ ମୂଳଲକ୍ଷ୍ୟ ଥିବାରୁ ତୃଣମୂଳ ସ୍ତରରେ ଦଳକୁ ପ୍ରସ୍ତୁତ କରାଯିବ।

Advertisment

ଏକ ସ୍ଥାନୀୟ ହୋଟେଲ୍‌ରେ ଚାଲିଥିବା ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ଆଜି ଦଳର ନେତାମାନେ ଏହା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟରେ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ମହିଳା, ଗରିବ ଓ ଶିକ୍ଷାମାରଣ ନୀତି ଅତ୍ୟନ୍ତ ଚିନ୍ତାଜନକ। ବିଜେଡି ସରକାର ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତାରିତ କରିବା ସହ ବିକାଶରେ ବାଧକ ସାଜିଛି। ଫଳରେ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ଓଡ଼ିଶାବାସୀ ବଞ୍ଚିତ ହୋଇଛନ୍ତି। ତେଣୁ, ଏହାକୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବା ସହ ତୃଣମୂଳ ସ୍ତରରେ ଦଳକୁ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଗଣମାଧ୍ୟମ ପରିଚାଳନା, ନିର୍ବାଚନ ପରିଚାଳନା, ରାଷ୍ଟ୍ରୀୟ ସୁରକ୍ଷା ଓ ଆତ୍ମନିର୍ଭର ଭାରତ, ସାଂସ୍କୃତିକ ରାଷ୍ଟ୍ରବାଦ, ବୈଦେଶିକ ନୀତି ଭଳି ବିଷୟରେ ପ୍ରଶିକ୍ଷଣ ଶିବିରର ଆଲୋଚନା କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉଦ୍‌ଘାଟନ କରିଥିଲେ। ଦ୍ବିତୀୟ ଦିବସ‌ରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ପ୍ରଶିକ୍ଷଣ ପ୍ରକୋଷ୍ଠ ରାଷ୍ଟ୍ରୀୟ ସଂଯୋଜକ ମହେଶଚନ୍ଦ୍ର ଶର୍ମା, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ପ୍ରଶିକ୍ଷଣ ପ୍ରକୋଷ୍ଠ ପ୍ରଭାରୀ ଡି ମୁରଲୀଧର ରାଓ, ବି ସତିଶ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଲୋଚନା କରିଥିଲେ।