ରଥଯାତ୍ରା ହେବ ନା ନାହିଁ ସରକାରଙ୍କୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର : ରଥଯାତ୍ରା ସହିତ ଓଡିଶାର ଜନତା ଓ ସାରା ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଜଡ଼ିତ। ଚଳିତ ବର୍ଷ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହା ପଛରେ ରାଜ୍ୟ ସରକାରଙ୍କ ନିରବତା ମୁଖ୍ୟ କାରଣ। ପୁରୀରେ ରଥଯାତ୍ରା ହେବ କି ନାହିଁ ତାହାର ଏକ ସ୍ପଷ୍ଟ ଚିତ୍ର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଜଣାନ୍ତୁ ବୋଲି ବିଜେପି ଦାବି କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ରଥ ନିର୍ମାଣ ହେବ କି ନାହିଁ ସେଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ ରାଜ୍ୟ ସରକାର। କେନ୍ଦ୍ର ସରକାର ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ଜଣାଇଲେ ଏବଂ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସହମତି ଦେଇଥିଲେ। କିନ୍ତୁ ଏବେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାର କାହିଁକି ବିଳମ୍ବ କରୁଛନ୍ତି? ନିକଟରେ ପୁରୀରେ ରଥଯାତ୍ରା ନେଇ ଜଣେ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ ପ୍ରାୟୋଜିତ ଭାବେ ଜନସ୍ୱାର୍ଥ ମାମଲା ଦାୟର କରି କରୋନା ମହାମାରୀ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର।

ବି‌େଜପି ପକ୍ଷରୁ ଆହୁରି କୁହାଯାଇଛି, ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥଯାତ୍ରାକୁ ନେଇ ପୂର୍ବ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥାଏ। ରଥଯାତ୍ରା ପୂର୍ବରୁ ଆରଡିସି, ଆଇନ ମନ୍ତ୍ରୀଙ୍କ ସ୍ତରରେ ସମୀକ୍ଷା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତିର ଚୂଡ଼ାନ୍ତ ରୂପରେଖ ତିଆରି ହୁଏ। କିନ୍ତୁ ଏଯାବତ ସରକାର କୌଣସି ପ୍ରସ୍ତୁତି ବୈଠକ କରିନାହାନ୍ତି। ଜଗନ୍ନାଥ ବିଶେଷଜ୍ଞମାନେ କହୁଛନ୍ତି କି, ଯଦି ଚଳିତ ବର୍ଷ ରଥଯାତ୍ରା ନ ହୁଏ ତେବେ ଗୋଟିଏ ବର୍ଷ ଧରି ପ୍ରଭୁ ଜଗନ୍ନାଥ ଅଣସର ଘରେ ରହିବେ। ଏଥିପାଇଁ ସାଧାରଣ ଜନତାଙ୍କ ମନରେ ଅନେକ ଆଶା ଓ ଆଶଙ୍କା ଭରି ରହିଛି।

ଶ୍ରୀ ହରିଚନ୍ଦନ କହିଲେ ଯେ କେନ୍ଦ୍ର ସରକାର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଅମୁମତି ଦେଇ ସାରିଛନ୍ତି। ମାତ୍ର ରାଜ୍ୟ ସରକାର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଚାହିଁଥିଲେ ସାମାଜିକ ଦୂରତାକୁ ବଜାୟ ରଖି ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ପାରିଥାନ୍ତେ। ହେଲେ ସେପରି କଲେ ନାହିଁ। ସେହିପରି ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ଯେମିତି ସାମାଜିକ ଦୂରତାକୁ ମାନି କାର୍ଯ୍ୟକ୍ରମ କରାଗଲା, ଠିକ୍ ସେମିତି ନୀତି ନିୟମ ମାନି ମହାପ୍ରଭୁଙ୍କର ରଥଯାତ୍ରା ମଧ୍ୟ ଆୟୋଜନ କରାଯାଇପାରିବ ବୋଲି ବି‌େଜପି ପକ୍ଷରୁ କୁହାଯାଇଛି।

ରଥଯାତ୍ରା ନେଇ ବିଜେପିର ଆଭିମୁଖ୍ୟ ଏବେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ନିକଟରେ ଭର୍ଚୁଆଲ ରାଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଶ୍ରୀଜଗନ୍ନାଥଙ୍କ କଥା ଉଠାଇବା ଓ ଦୁଇଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ଦଳ ରଥଯାତ୍ରା ସଂପର୍କରେ ପ୍ରଶ୍ନ ପଚାରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ କଂଗ୍ରେସ ମାସ୍କ ଦୁର୍ନୀତିରେ ଘେରୁଥିବା ବେଳେ ଅନ୍ୟପଟେ ବିଜେପି ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ଶାଣିତ ପ୍ରଶ୍ନ ପଚାରିବା ପରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେଇଛି।

ସମ୍ବନ୍ଧିତ ଖବର