ଭୁବନେଶ୍ବର: ରାଜ୍ୟ ସରକାର ଦୁଇ ଦିନ ତଳେ ପିପିପି ମୋଡ୍ରେ ୫ଟି ହସ୍ପିଟାଲ ସ୍ଥାପନ କରିବା ନେଇ ୫ଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି ତହିଁରୁ ଦୁଇଟି ସଂସ୍ଥାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ। ତହିଁରୁ ଗୋଟିଏ ହେଉଛି କମ୍ପ୍ୟୁଟର ସେବା ଯୋଗାଉଥିବା କମ୍ପାନି ଓ ଅନ୍ୟଟି ହେଉଛି ଏକ ଇଞ୍ଜିନିୟରିଂ କଲେଜ। ଏହି ଦୁଇଟା ଯାକ ସଂସ୍ଥା କେବେ ବି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି କାମ କରିନାହାନ୍ତି ବା ସେମାନଙ୍କର କୌଣସି ଡାକ୍ତରଖାନା ଚଳାଇବାର ଅଭିଜ୍ଞତା ନାହିଁ। ଏମିତିକି ଛୋଟିଆ କ୍ଲିନିକଟିଏ ବି ସେମାନଙ୍କର ନାହିଁ। ତାହାଲେ କେଉଁ ଆଧାରରେ ସେମାନଙ୍କୁ ଏଥିପାଇଁ ଚୟନ କରାଗଲା ? ଏହାର ତଦନ୍ତ ହେବା ଆବଶ୍ୟକ। ଏହା ଏକ ବଡ଼ ଦୁର୍ନୀତି ଆଡ଼କୁ ଇଙ୍ଗିତ କରୁଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ।
ଶ୍ରୀ ବିଶ୍ବାଳ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ଏହି କର୍ପୋରେଟ ସଂସ୍ଥାମାନଙ୍କୁ ମାଗଣା ଜମି ଓ ୫୦୦ କୋଟି ଟଙ୍କା ମଧ୍ୟ ହସ୍ପିଟାଲ ନିର୍ମାଣ କରିବା ପାଇଁ ପ୍ରଦାନ କରିବେ। ଯଦି ସରକାର ନିଜେ ଅର୍ଥ ଖର୍ଚ୍ଚ କରିବେ, ତାହେଲେ ସରକାର ନିଜେ କାହିଁକି ଡାକ୍ତରଖାନାର ମାଲିକ ହେବେ ନାହିଁ? ପିପିପି ନାଁରେ ସରକାରୀ ଅର୍ଥରେ ଘରୋଇ କମ୍ପାନିମାନେ କାହିଁକି ମାଲେମାଲ ହେବେ? ଏହାସହ ସରକାର ଯେଉଁ ସଂସ୍ଥାମାନଙ୍କ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ସେମାନଙ୍କୁ କେଉଁ ଆଧାରରେ ଚୟନ କରାଯାଇଛି? ଯଦି ସରକାର ମାଗଣା ଜମି ଦେବେ ଆଉ ଡାକ୍ତରଖାନା ନିର୍ମାଣ ପାଇଁ ପଇସା ବି ଦେବେ ତାହେଲେ ଏହାର ଚୟନ ପ୍ରକିୟାରେ ମଧ୍ୟ ସ୍ବଚ୍ଛତା ରହିବା ଦରକାର। ଏନେଇ ବିଧିବଦ୍ଧ ଭାବରେ ଟେଣ୍ଡର ହୋଇଛି କି? ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ନେଇ ଯଥାଶୀଘ୍ର ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ଶ୍ରୀ ବିଶ୍ବାଳ ଦାବି ରଖିଛନ୍ତି। ଅନ୍ୟଥା ଏହା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଲୋକେ ବାଧ୍ୟ ହେବେ ବୋଲି ସେ କହିଛନ୍ତି।