ମାହାଙ୍ଗା ଡବଲ ମର୍ଡର ଘଟଣା: ଜଣେ ଡିଆଇଜିଙ୍କୁ ଦିଆଯିବ ତଦନ୍ତ ଦାୟିତ୍ବ

ଡିଜିପି କାର୍ଯ୍ୟାଳୟ ଘେରିଲେ ବିଜେପି କର୍ମୀ ଓ ନେତା

କଟକ: ମାହାଙ୍ଗାରେ ବହୁଚର୍ଚ୍ଚିତ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାର ତଦନ୍ତ କରିବେ ଜଣେ ଡିଆଇଜି। ଆଗାମୀ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ବିଜେପି ଟିମକୁ ପୁଲିସ ଡିଜି ଅଭୟ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାର ତଦନ୍ତ ଜଣେ ଡିଆଇଜି କରିବା ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି। ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ଏକ ଶୋଭାଯାତ୍ରାରେ ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସ ଅଭିମୁଖେ ଯାଇଥିଲେ । ‌ଶୋଭାଯାତ୍ରା ମାତା ମଠରୁ ବାହାରି ଡିଜିପି ଅଫିସରେ ପହଞ୍ଚିଥିଲା । ଏହାପରେ ବିଜେପିର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପ‌ରେ ପୁଲିସ ଡିଜି ଜଣେ ଡିଆଇଜିଙ୍କ ଦ୍ବାରା ତଦନ୍ତ କରାଯିବ ଓ ୧୦ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Sambad

ମାହାଙ୍ଗା ହତ୍ୟାକାଣ୍ତ ଘଟଣାରେ ଗ୍ରାମାଞ୍ଚଳ ପୁଲିସ ଏଯାଁଏ ମୋଟ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କୁ ଧରିପାରିନାହିଁ। ସେପଟେ ବିଜେପିର ଆନ୍ଦୋଳନ ପାଇଁ ଡିଜିପି ଅଫିସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଗତକାଲି ନୃତ୍ତାଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ପ୍ରେସମିଟ୍ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ହତ୍ୟା ମାମଲାର ଅସଲ ଦୋଷୀ କିଏ? କେଉଁ କାରଣ ପାଇଁ ୧୩ ଜଣଙ୍କ ନାଁ ଏତଲାରେ ଥିଲେ ହେଁ ମାତ୍ର ୮ ଜଣ ଗିରଫ ହୋଇନାହାନ୍ତି। ମୃତ୍ୟୁ ପୂର୍ବରୁ ଦିବ୍ୟସିଂହ ବରାଳ କିଛି ଲୋକଙ୍କ ନାଁ ନେଇଥିଲେ ବି ସେ ଦିଗରେ ପୁଲିସ କୌଣସି ପଦକ୍ଷପ ନେଇ ନଥିବା ଅଭିଯୋଗ ହୋଇଛି। ହିଂସା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ରାଜ୍ୟ ସରକାରଙ୍କ କାହିଁକି ଏଭଳି ଆଭିମୁଖ୍ୟ ବୋଲି ପ୍ରଶ୍ନ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରିଛି ବିଜେପି। ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସିଧାସଳଖ ଆହ୍ୱାନ ଦେଇଛନ୍ତି।

ସମ୍ବନ୍ଧିତ ଖବର