ସମ୍ବଲପୁରରେ ବିଜେପିର ବିଶାଳ ସମାବେଶ : ଚାଷୀଙ୍କ ଅଧିକାର ପାଇଁ ଗର୍ଜିଲେ

ଶେଷ ଧାନବସ୍ତା ନଉଠିବା ଯାଏ ଆନ୍ଦୋଳନ ଜାରି ରହିବ
ଆର୍‌ଡିସିଙ୍କୁ ଭେଟି ନ ପାରିବାରୁ ଥାନାରେ ଧାରଣା

ସମ୍ବଲପୁର : ଚାଷୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ପାଇଁ ବିଜେପି ରାସ୍ତାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ସବୁଠି ଲଢ଼େଇ କରିବ। ପ୍ରତିଟି ଚାଷୀକୁ ତାର କଷ୍ଟୋପାର୍ଜିତ ଫସଲର ଶେଷ ବସ୍ତାର ମୂଲ୍ୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଗୁରୁବାର ସମ୍ବଲପୁରରେ ଆୟୋଜିତ ‘ଚାଷୀ ଅଧିକାର’ ରାଲିରେ ଏଭଳି ଗର୍ଜନ କରିଛନ୍ତି ବିଜେପି ନେତା ଓ କର୍ମୀ।

ପଶ୍ଚିମ ଓଡ଼ିଶାର ୩୭ଟି ବିଧାନସଭା କ୍ଷେତ୍ରରୁ ପ୍ରାୟ ୧୦ ହଜାର ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ ସମ୍ବଲପୁରରେ। ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ପ୍ରଥମେ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଉଦ୍‌ବୋଧ‌ନ ଦେଇ ପ୍ରାୟ ସମସ୍ତ ନେତା ବରଗଡ଼ରେ ଜଣେ ଚାଷୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ବେପରୁଆ ନୀତିକୁ ଦାୟୀ କରିଥିଲେ। ଏହାପରେ ସମସ୍ତେ ପିଏଚ୍‌ଡି ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ମଧ୍ୟ ଦେଇ ଆସି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ପୂର୍ବରୁ ପ୍ରସ୍ତୁତ ପୁଲିସ୍‌ ଉକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ଆବଦ୍ଧ କରି ରଖିଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ସ୍ଳୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ପୁଲିସ୍‌ ସହ ବିଜେପି କର୍ମୀଙ୍କର ପ୍ରବଳ ଧସ୍ତାଧସ୍ତି ହୋଇଥିଲା। କିଛି କର୍ମୀ ପାଚେରି ଉପରକୁ ଉଠି ଆର୍‌ଡିସି କାର୍ଯ୍ୟାଳୟକୁ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ୍‌ ବହୁ ପ୍ରମୁଖ ନେତାଙ୍କୁ ଗିରଫ କରିବା ସହ କୌଣସି ପ୍ରକାରେ ଜନ ସମୁଦ୍ରକୁ ପ୍ରତିରୋଧ କରିଥିଲା।

ଆର୍‌ଡିସି ସେମାନଙ୍କୁ ନଭେଟିବା ଓ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍‌ ଥାନାରେ ଧାରଣାରେ ବସି ରହିଥିଲେ। ଆର୍‌ଡିସି ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ରାତି ପର୍ଯ୍ୟନ୍ତ ସେମାନେ ବସି ରହିଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ‌ ତୋମାର ରାତିରେ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ଯେ ଏତେ ବଡ଼ ସମାବେଶ ସତ୍ତ୍ବେ କୌଣସି ସରକାରୀ ଅଧିକାରୀ ଆମ ପ୍ରତିନିଧିଙ୍କୁ ନ ଭେଟିବା ସରକାରଙ୍କ ଅହଂକାରର ପରିଚୟ ଦିଏ। ତେବେ ରାଜ୍ୟ ସରକାରଙ୍କ ଏକଚାଟିଆ ନୀତିରେ ବିଜେପି ଦବି ଯିବନାହିଁ। ମଣ୍ଡିରୁ ଚାଷୀଙ୍କ ଶେଷ ମୁଠା ଧାନ ନ ଉଠିବା ଯାଏ ଆମ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଥିଲେ।

ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, କନକବର୍ଦ୍ଧନ ସିଂହଦେଓ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ, ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ରବି ନାୟକ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ସୀମାଚଂଳ ଖଟେଇ, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ୍ ଦାସ, ଧୀରେନ ସେନାପତି, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଶ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ସଭାପତି ଗିରଶ ପଟେଲ, ଦେବଗଡ ଜିଲ୍ଲା ସଭାପତି ମୀନକେତନ ପ୍ରଧାନ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ପାନପୋଷ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ବଣେଇ ଜିଲ୍ଲା ସଭାପତି ଅନିଲ ବାର୍ଲା, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ନୂଆପଡା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ, ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ଏହି ଚାଷୀ ସମାବେଶରେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର