ପୁରୀ :‌ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଜଣାଇ ରାଜ୍ୟ ବିଜେପି ଆଜିଠାରୁ ରାଜରାସ୍ତାକୁ ଓହ୍ଲାଇଛି। ଏହାର ସମର୍ଥନରେ ଦଳ ଶ୍ରୀକ୍ଷେତ୍ର ପୁରୀରୁ ଜନଜାଗରଣ ପଦଯାତ୍ରା ଆରମ୍ଭ କରିଛି। ଏହା ସାରା ଓଡ଼ିଶାରେ ଚାଲିବ।

Advertisment

ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶରଧାବାଲିରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ପୁରୀ ସହର ପରିକ୍ରମା କରିଥିଲା। ନାଗରିକ ସଂଶୋଧନ ଅଧିନିୟମ କ’ଣ ପାଇଁ ଓ କାହା ପାଇଁ ସାହି ସାହି ବୁଲି ଲୋକଙ୍କୁ ‌ସଚେତନ କରିଥିଲା। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବି‌ଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ‌ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଏହି ପଦଯାତ୍ରାର ନେତୃତ୍ବ ନେଇଥିଲେ। ଏହି ଅବସରରେ ଦଳୀୟ ନେତାମାନେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ସିଏଏକୁ ନେଇ ବିଭ୍ରାନ୍ତ ସୃଷ୍ଟି କରୁଛି ଓ ଦେଶକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛି ବୋଲି ଦଳର ନେତୃବୃନ୍ଦ ଅଭିଯୋଗ କରିଥିଲେ।

ବିରୋଧୀ କଂଗ୍ରେସ ଏହି ରାଜନୀତିରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିବାବେଳେ ଦେଶରେ ସାମ୍ପ୍ରଦାୟିକତା ସୃଷ୍ଟି ନକରି ଏକତା ଦିଗରେ ସହଭାଗୀ ହେବାକୁ ପରାମର୍ଶ ଦେଇଥିଲେ। ହଜାର ହଜାର ନେତା ଓ କର୍ମୀ ବିଜେପି ପତାକା ଧରି ଏହି ପଦଯାତ୍ରାରେ ସାମିଲ୍ ହୋଇଥିଲେ। ବିରୋଧୀ ଦଳମାନେ ବିଜେପିକୁ ସମାଲୋଚନା କରିବା ପରିବର୍ତ୍ତେ ପାକିସ୍ତାନକୁ ସମାଲୋଚନା ଓ ବିରୋଧ କରିବା ଦରକାର ବୋଲି ଏମାନେ କହିଥିଲେ।