ସିଏଏ ସମର୍ଥନରେ ବିଜେପିର ପଦଯାତ୍ରା

ପାକିସ୍ତାନ ସହ କଂଗ୍ରେସର ମତ ମେଳ ଖାଉଛି: ଧର୍ମେନ୍ଦ୍ର

କଟକ : ନାଗରିକ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ପାକିସ୍ତାନ ଯେଉଁଭଳି ମନ୍ତବ୍ୟ ଦେଉଛି, ଆଇଏସଆଇ ଯେଭିଳ ମନ୍ତବ୍ୟ ଦେଉଛି, ସେହିଭଳି ମନ୍ତବ୍ୟ ଦେଉଛି କଂଗ୍ରେସ। ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଏମିତିକି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ରହିଥିବା ସମୟରେ ଯେଉଁ ନିୟମ କଥା କୁହାଯାଉଥିଲା, ବର୍ତ୍ତମାନ ନରେନ୍ଦ୍ର ମୋଦୀ ସରକାର ତାହାକୁ କାର୍ଯ୍ୟକାରୀ କଲା ‌ବେଳେ କଂଗ୍ରେସର ବିରୋଧ କାହିଁକି? ଆଜି ସିଏଏ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ କଟକରେ ବିଜେପି ପକ୍ଷରୁ ଆୟୋଜିତ ସଚେତନତା ଶୋଭାଯାତ୍ରାରେ କଂଗ୍ରେସ ଉପରେ ଏଭଳି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଲେଜଛକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତା ଦେଇ ଖାନନଗର ପାର୍କ ଛକରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ଏକ ସମାବେଶରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଅଧିନିୟମ ଦେଶର ହିତ ପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ ଏ‌ହାକୁ ଅନେକ ରାଜନୈତିକ ଦଳ ଓ ସଂଗଠନ ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ କଂଗ୍ରେସ ଏହି ଆଇନକୁ ବିରୋଧ କରିବା ଆଳରେ ଏବେ ଦେଶରେ ଗଣ୍ଡଗୋଳ ଏବଂ ଅସ୍ଥିରତା ସୃଷ୍ଟି କରିବାର ଯୋଜନା କରୁଛି। ଜେଏନୟୁରେ ଯେଉଁ ଭଳି ହିଂସାକାଣ୍ଡ ହୋଇଛି, ସେଥିରେ ଏବିଭିପିକୁ ବଦନାମ କରିବାକୁ ଉଦ୍ୟମ ହେଉଛି। କିନ୍ତୁ କଂଗ୍ରେସ ଓ ଅନ୍ୟ ଦଳର ଏଭଳି ଉଦ୍ଦେଶ୍ୟ ସଫଳ ହେବ ନାହିଁ। ଦେଶର ସାଧାରଣ ଜନତାଙ୍କୁ ସିଏଏ ସଂପର୍କରେ ସଚେତନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଗାମୀ ଦିନରେ ଓଡ଼ିଶାର ସମ୍ବଲପୁର, ବାଲେଶ୍ବର, କୋରାପୁଟ ଓ ବ୍ରହ୍ମପୁର ସହରରେ ଏଭଳି ଶୋଭାଯାତ୍ରା ଆୟୋଜନ କରାଯାଇ ରାଜ୍ୟର ୨୦ ଲକ୍ଷ ଲୋକଙ୍କ ନିକଟରେ ସିଏଏ ସଂପର୍କିତ ସୂଚନା ଭାରତୀୟ ଜନତା ପାର୍ଟି ପହଞ୍ଚାଇବ ବୋଲି ଏଥିରେ ସୂଚନା ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୧୨ ହଜାରରୁ ଅଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାଂସଦ ଅଶ୍ବିନୀ ବୈଷ୍ଣବ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବରିଷ୍ଠ ନେତା ନୟନ ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ, କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଗୋଲକ ମହାପାତ୍ର, ସମୀର ମହାନ୍ତି, ପୂର୍ବତନ ମେୟର ନିବେଦିତା ପ୍ରଧାନ, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଲେଖାଶ୍ରୀ ସାମନ୍ତରାୟ, ଦିଲ୍ଲୀପ ମଲ୍ଲିକ, ପ୍ରକାଶ ମିଶ୍ର, ପ୍ରଭାତୀ ପରିଡା, ପ୍ରତିଭା ଶତପଥୀ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର