ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ବିଜେପି ନେତା ଶାରଦା ପ୍ରଧାନ ଏହି ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲେ। ଏହି ଘଟଣାରେ ଶାସକ ଦଳ ନେତାଙ୍କ ପ୍ରୋତ୍ସାହନରେ ବିଜେଡି କର୍ମୀମାନେ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ। ପୂର୍ବରୁ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ମାର୍ଚ୍ଚ ୧୭ରୁ ମାହାଙ୍ଗା ନିର୍ବାଚନମଣ୍ଡଳୀ ଠାରୁ ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ୱରେ ବାହାରିଥିବା ପଦଯାତ୍ରାକୁ ଭୁବନେଶ୍ୱରରେ ପହଂଚଇଛି। ରସୁଲଗଡ଼ ଛକରେ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପଦଯାତ୍ରାରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବଣ୍ଟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ଓ ମାହାଙ୍ଗା ଡବଲ ମର୍ଡର୍ରେ ସଂପୃକ୍ତ ଥିବା ସମସ୍ତ ଅପରାଧୀ ଗିରଫ ନ ହେବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବନି ବୋଲି ସେ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ।
ବିଜେପି ପକ୍ଷରୁ କୁହାଯାଇଛି ଯେ ଏହି ସବୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପ୍ରଫୁଲ ବିଶ୍ୱାଳଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ବି ପୁଲିସ ଚୁପ୍ ବସିଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିବା ସତ୍ତ୍ବେ ଶାସକ ଦଳ ଚାପରେ ପୁଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁ ନାହିଁ। ଡବଲ ମର୍ଡର ଅପରାଧୀଙ୍କୁ ଗିରଫ ଓ କେନ୍ଦ୍ରୀୟ ଯୋଜନାର ଠିକ୍ କ୍ରିୟାନ୍ୱୟନ କରିବା ଦାବିରେ ଆସନ୍ତାକାଲି ବିଧାନସଭା ଘେରାଉ କରାଯିବ ବୋଲି ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ସୂଚନା ଦେଇଛନ୍ତି। ଏହି ସ୍ୱାଗତ ସମୟରେ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ଜିଲ୍ଲା ବିଜେପିର ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/bjp-flag-logo-dh-photo-910823-1604407206.jpg)