ରାଉରକେଲା: ସବୁ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପିର ବିଦ୍ରୋହୀ ନେତା ନିହାର ରାୟ ଶୁକ୍ରବାର ଶେଷ ଦିନରେ ବହୁ ଆଡ଼ମ୍ବରରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଶୋଭାଯାତ୍ରାରେ ଜୋରଦାର ଶକ୍ତି ପ୍ରଦର୍ଶନ କରିଛନ୍ତି। ନିହାରଙ୍କ ବିଶାଳ ଶୋଭାଯାତ୍ରା ଯୋଗୁ ଦଳୀୟ ପ୍ରାର୍ଥୀଙ୍କ ଶିବିରରେ ଛନକା ପଶିଛି। ଶୁକ୍ରବାର ସକାଳେ ନିହାର ସେନା ସଂଗଠନ ଓ ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ବାହାରିଥିଲା ବିଶାଳ ନାମାଙ୍କନ ଶୋଭାଯାତ୍ରା। ଜୟ ଶ୍ରୀରାମ, ନିହାର ରାୟ ଜିନ୍ଦାବାଦ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ନାମାଙ୍କନ ପୂର୍ବରୁ ସକାଳ ପ୍ରାୟ ୯ଟାରେ ନିହାର ରାୟ ଉଦିତନଗର ସିଂହାସିନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ହଜାରହଜାର ସମର୍ଥକଙ୍କ ଗହଣରେ ପଦଯାତ୍ରାରେ ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ଶୋଭାଯାତ୍ରାରେ ନିହାରଙ୍କ ପତ୍ନୀ, ଭଉଣୀ ଓ ପରିବାର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପରେ ନିହାର କହିଛନ୍ତି, ତାଙ୍କ ପ୍ରତି ଅନ୍ୟାୟ ହୋଇଛି।

Advertisment

୨୦୧୯ରେ ଦିଲୀପ ରାୟ ତାଙ୍କୁ ହରାଇଥିଲେ। ଏଥର ତାଙ୍କ ଟିକେଟ ଛଡ଼ାଇ ନେଲେ। ରାଉରକେଲା ବିଧାନସଭା କ୍ଷେତ୍ରରେ ବିଜେପିକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାରେ କାହାର ପ୍ରମୁଖ ଭୂମିକା ରହିଛି, ସହରବାସୀ ଭଲ ଭାବେ ଜାଣିଛନ୍ତି। ମୋଦୀଙ୍କ ମିସନ ୪୦୦ ପାର୍‌ରେ ଆମେ ସହାୟକ ହେବୁ। କିନ୍ତୁ ରାଉରକେଲାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରବଳ ଜନଅସନ୍ତୋଷ ରହିଛି। ‌ତାଙ୍କ ପ୍ରତି ଭୋଟରଙ୍କ ଆଶୀର୍ବାଦ ରହିଛି। ତେଣୁ ନିଶ୍ଚିତ ବିଜୟୀ ‌ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ବିଜେପି ଟିକେଟରୁ ବଞ୍ଚିତ ହେବା ପରେ ନିହାର ଦଳୀୟ ନିର୍ବାଚନୀ କାର୍ଯ୍ୟରୁ ଦୂରେଇ ଯାଇଥିଲେ। ରାଉରକେଲା ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କ ପରି ସମାନ୍ତରାଳ କର୍ମୀସମ୍ମିଳନୀ କରି ଶକ୍ତିପ୍ରଦର୍ଶନ କରିଥିଲେ। ବିଜେପିର ଜୁଏଲ ଓରାମ, ଦିଲୀପ ରାୟଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କ ଘରେ ପହଞ୍ଚି ମନାଇଥିଲେ ହେଁ ବିଫଳ ହୋଇଥିଲେ। ବର୍ତ୍ତମାନ ନିହାରଙ୍କ ପ୍ରଦର୍ଶନ ରାଉରକେଲା ବିଧାନସଭା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।