ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ବିଶ୍ବଭୂଷଣ : ପାଇକ ବିଦ୍ରୋହ ସ୍ମାରକୀ ପାଇଁ ତୁରନ୍ତ ଜମି ମିଳୁ

ଭୁବନେଶ୍ବର : ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ଠାରେ ୫୦ ଏକର ଜମି ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ବରୁଣେଇ ପାହାଡ଼ ନିକଟରେ ୫୦ ଏକର ଜାଗା ଦେବାକୁ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା ଓ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ତାଙ୍କ ବିଭାଗରୁ ୮୦ କୋଟି ଟଙ୍କା ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଇଣ୍ଡିଆନ୍ ଅଏଲ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟରୁ ୯୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ଅଧ୍ୟକ୍ଷ ଭାବେ ମୁଁ ମଧ୍ୟ ଚିଠି ଲେଖି ଜମି ପାଇଁ ଅନୁରୋଧ କରିଥିଲି। ଏହା ସରକାରଙ୍କ ସକ୍ରିୟ ବିଚାରାଧୀନ ଅଛି ବୋଲି ବିଧାନସଭାରେ କହିବା ସତ୍ତ୍ବେ ସରକାର ଏହାକୁ ଅଯଥାରେ ଗଡ଼ାଇ ଚାଲିଛନ୍ତି। ଗତ ମାସ ୨୩ ତାରିଖରେ ଅରୁଗୁଳ ଠାରେ ଆଇଆଇଟିର ଉଦ୍‌ଘାଟନୀ ଉତ୍ସବରେ ଏ ଜମି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସ୍ବାଗତଯୋଗ୍ୟ। କିନ୍ତୁ ଏହାର ୨୦ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ। ପାଇକ ବିଦ୍ରୋହର ଏହି ମହାନ ସ୍ମାରକୀ ଦେଶର ଗର୍ବ ଗୌରବର ମହାନ ସ୍ମାରକୀ ହୋଇ ମୁଣ୍ଡ ଟେକିବ। ଦେଶ ବିଦେଶର ପର୍ଯ୍ୟଟକମାନେ ଏହି ସ୍ମାରକୀକୁ ଦେଖି ଓଡ଼ିଆ ଜାତିର ମହାନ ମୁକ୍ତି ସଂଗ୍ରାମ ବିଷୟରେ ଅବଗତ ହେବେ ଓ ଓଡ଼ିଶାକୁ ସମ୍ମାନ ଜଣାଇବେ। ତେଣୁ ଆଉ ବିଳମ୍ବ ନ କରି ତୁରନ୍ତ ଜମି ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଶ୍ରୀ ହରିଚନ୍ଦନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର