ଖୋର୍ଦ୍ଧା‌ରେ ବିଜେପିର ସମାବେଶ

ଖୋର୍ଦ୍ଧା ଗାମୁଛା ପକାଇଲେ ମୋଦୀ

ରାଜ୍ୟ ତଥା ବାହାରେ ଖୋର୍ଦ୍ଧା ଗାମୁଛାର ସ୍ବତନ୍ତ୍ର ଚାହିଦା ରହିଛି। ଏହା ମଧ୍ୟ ଖୋର୍ଦ୍ଧା ମାଟିର ଏକ ପରିଚୟ। ମୋଦୀଙ୍କ ଗସ୍ତ ବେଳେ ଖୋର୍ଦ୍ଧା ଗାମୁଛା ତାଙ୍କୁ ଉପହାର ଦେବାକୁ ଭୁଲି ନ ଥିଲେ ବିଜେପି ନେତାମାନେ। ଦଳୀୟ ସମାବେଶରେ ପହଞ୍ଚିଲା ପରେ ସଭାପତି ବସନ୍ତ ପଣ୍ଡା ତାଙ୍କ କାନ୍ଧରେ ଖୋର୍ଦ୍ଧା ଗାମୁଛା ପକାଇଥିଲେ। ସେହି ଗାମୁଛା ପକାଇ ମୋଦୀ ଭାଷଣ ବି ଦେଇଥିଲେ। ସେହିପରି ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ତାଙ୍କୁ ଖଣ୍ଡା‌ ପ୍ରଦାନ କରିଥିଲେ।

ଅବିଭକ୍ତ ପୁରୀ, କଟକ ନେତାଙ୍କୁ ସୁଯୋଗ

ଖୋର୍ଦ୍ଧା ସମା‌େବଶ ଉପକୂଳ ଅଞ୍ଚଳ ବିଶେଷ କରି ଅବିଭକ୍ତ ପୁରୀ ଓ ଅବିଭକ୍ତ କଟକ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଠାକାର ଆଗ ଧାଡ଼ି ନେତାମାନଙ୍କୁ ନିରାଶ କରାଯାଇ ନ ଥିଲା। ବେଶ୍ ଯୋଜନାବଦ୍ଧ ଭାବେ ସମସ୍ତଙ୍କୁ ମୋଦୀଙ୍କ ସହ ଫଟୋ ପୋଜ୍‌ର ସୁଯୋଗ ଦିଆଯାଇଥିଲା। ପାଖାପାଖି ୨୦୦ ନେତାଙ୍କୁ ବିଭିନ୍ନ ସ୍ଥାନରେ ମୋଦୀଙ୍କ ନିକଟତର କରାଯାଇଥିଲା। ଭୁବନେଶ୍ବର ବିମାନ ବନ୍ଦର, ଆଇଆଇଟି କାର୍ଯ୍ୟକ୍ରମ ହେଲିପ୍ୟାଡ୍, ଦଳୀୟ ସମାବେଶ ହେଲିପ୍ୟାଡ୍‌, ଦଳୀୟ ମଞ୍ଚ ଆଦି ସ୍ଥାନରେ ନେତାମାନଙ୍କୁ ଭାଗ ଭାଗ କରି ଠିଆ କରାଯାଇଥିଲା। କିଏ କରମର୍ଦ୍ଦନର ସୁଯୋଗ ପାଇଥିଲେ ତ କିଏ ଫୁଲହାର ପିନ୍ଧାଇବାର ସୁଯୋଗ।

ଭେଟିଲେ ପାଇକ ଦାୟାଦ

ଖୋର୍ଦ୍ଧା ଜିଲ୍ଲାରେ ଉଭୟ ସରକାରୀ ଓ ଦଳୀୟ ସଭା ହେଉଥିବାରୁ ପାଇକମାନଙ୍କ ଦାୟାଦମାନଙ୍କୁ ସାମିଲ୍ କରିବାର ସୁଯୋଗକୁ ହାତଛଡ଼ା କରି ନ ଥିଲା ବିଜେପି। ଏଥି ପାଇଁ ବେଶ୍ ପ୍ରସ୍ତୁତି କରାଯାଇଥିଲା। ପ୍ରଧାନମନ୍ତ୍ରୀ କମ୍ ସମୟ ପାଇଁ ଆସିଥିବାରୁ ସ୍ବତନ୍ତ୍ର ଭାବେ ଏହି ଦାୟାଦମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ନ ଥିଲା। ସେଥି ପାଇଁ ଜଟଣୀରେ ହୋଇଥିବା ହେଲିପ୍ୟାଡ୍‌ରେ ପ୍ରଧାନମନ୍ତ୍ରୀ ଓହ୍ଲାଇଲା ପରେ ସେମାନଙ୍କ ସହ ହାତ ମିଳାଇ କିଛି ସମୟ କଥା ହୋଇଥିଲେ।

ଆଇଆଇଟିରେ ଧର୍ମେନ୍ଦ୍ର, ଖୋର୍ଦ୍ଧାରେ ଜୁଏଲ୍‌

ଆଇଆଇଟି ସରକାରୀ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଷଣ ଦେଇଥିଲେ। ସେଠାରେ ମଞ୍ଚ ଉପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଉପସ୍ଥିତ ଥିଲେ ବି ତାଙ୍କୁ କହିବା ପାଇଁ ସୁଯୋଗ ମିଳି ନ ଥିଲା। ତେବେ ପରବର୍ତ୍ତୀ ସମୟରେ ଖୋର୍ଦ୍ଧାରେ ହୋଇଥିବା ଦଳୀୟ ବୈଠକରେ କେବଳ ଜୁଏଲ୍‌ ଭାଷଣ ଦେଇଥିଲେ। ଧର୍ମେନ୍ଦ୍ର ସେଠାରେ କହି ନ ଥିଲେ। ଫଳରେ ହିସାବ ବରାବର ହୋଇଯାଇଥିଲା।

ଅପରାଜିତାଙ୍କୁ ନେଇ ଚର୍ଚ୍ଚା

ଆଇଏଏସ୍ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ ବି ଆଲୋଚନାର ପ୍ରସଙ୍ଗ ଥିଲେ। ସେ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ହେବାର ସମ୍ଭାବନା ଥିବାରୁ ଆଜିର ବୈଠକରେ ତାଙ୍କୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ମିଳିବ ବୋଲି କୁହାଯାଉଥିଲା। କିନ୍ତୁ ‌େସମିତି କିଛି ଘଟି ନ ଥିଲା। ଦଳୀୟ ସମା‌େବଶରେ କେବଳ ମୋଦୀଙ୍କୁ ଫୁଲ ଦେବାରେ ତାଙ୍କ ଦାୟିତ୍ବ ସୀମିତ ରହିଥିଲା। ମୁଖ୍ୟ ମଞ୍ଚର ବାମପଟେ ତିଆରି ହୋଇଥିବା ଆଉ ଏକ ମଞ୍ଚରେ ଦଳର ଅନ୍ୟ କର୍ମକର୍ତ୍ତାଙ୍କ ସହ ଅପରାଜିତା ବସିଥିଲେ। ତେବେ ସଭା ଶେଷ ହେଲା ପରେ ବହୁ ଲୋକ ତାଙ୍କୁ ଘେରି ଆଲୋଚନା କରୁଥିବା ଦେଖାଯାଇଥିଲା।

ନବୀନ… ମୋଦୀ…

ଆଇଆଇଟି ଉତ୍ସବ ସ୍ଥଳୀରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚକୁ ଆସିବା କ୍ଷଣି ଦର୍ଶକଙ୍କ ଭିତରୁ ଦୁଇ ପ୍ରକାର ସ୍ବର ଶୁଣିବାକୁ ମିଳିଥିଲା। ଦଳେ ନବୀନ ନବୀନ.. ନାରା ଦେଉଥିଲେ ତ ଆଉ ଦଳେ… ମୋଦୀ ମୋଦୀ… ନାରା ଦେଇଥିଲେ। ଏହାକୁ ନେଇ ଉତ୍ସବ ସ୍ଥଳରେ ରାଜନୈତିକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେତେବେଳେ ଭାଷଣ ଦେବାକୁ ଆସିଥିଲେ ନବୀନ ନବୀନ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ସମ୍ପୂର୍ଣ୍ଣ ପରିବେଶ। ଯେଉଁଥିପାଇଁ ପ୍ରାୟ ଗୋଟିଏ ମିନିଟ୍‌ ପାଇଁ ଭାଷଣ ଦେଇ ନପାରି ଛିଡ଼ା ହୋଇ ରହିଥିଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।

କ୍ୟାମ୍ପସରେ ଓହ୍ଲାଇଲେ ମୋଦୀ, ନାଇଜର ନିକଟରେ ନବୀନ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ‌ଗୋଟିଏ ସଭାକୁ ଯାଉଥିଲେ ମଧ୍ୟ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦୁଇଟି ହେଲିକପ୍‌ଟରରେ ଯାଇଥିଲେ। ଆଇଆଇଟି କ୍ୟାମ୍ପସରେ ବୈଠକ ଥିବାରୁ ସେଠାରେ ପ୍ରଧାନମନ୍ତ୍ରୀଙ୍କ ତିନିଟି ହେଲିକପ୍ଟର ଓହ୍ଲାଇବାକୁ ହେଲିପ୍ୟାଡ୍‌ କରାଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନାଇଜର ନିକଟରେ ଥିବା ଏକ ପଡ଼ିଆରେ ହେଲିପ୍ୟାଡ୍‌ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟରରୁ ଓହ୍ଲାଇ ଆଇଆଇଟି କ୍ୟାମ୍ପସକୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ପରବର୍ତୀ ସମୟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମଞ୍ଚ ନିକଟରେ ସ୍ବାଗତ କରିଥିଲେ।

ଶିଳାନ୍ୟାସ ସ୍ଥଳ ଖାଁ ଖାଁ

ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଖଣ୍ଡିଗିରି ଓଭରବ୍ରିଜ୍‌ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପାଇକ ବିଦ୍ରୋହ ଉପରେ ଏକ ଗବେଷଣା ଚେୟାରର ଶିଳାନ୍ୟାସ କରିଥିଲେ। ହେଲେ ଦୁଇଟି ପ୍ରକଳ୍ପ ସ୍ଥଳ ଆଜି ଖାଁ ଖାଁ ରହିଥିଲା। କେହି ବି ନଥିଲେ। ଖଣ୍ଡଗିରି ଛକରେ ଜାତୀୟ ରାଜପଥର କୌଣସି ଅଧିକାରୀ ନ ଥିଲେ। କିମ୍ବା ଉତ୍କଳ ବିଶ୍ବବିଦ୍ୟାଳୟରେ କର୍ତୃପକ୍ଷଙ୍କୁ ଦେଖିବାକୁ ମିଳି ନ ଥିଲା। ଅବଶ୍ୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ‌ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉତ୍ସବ ସ୍ଥଳରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର