ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା: ବିଜେପି

ଖାଦ୍ୟ କମିସନ୍‌ଙ୍କ ଚିଠିକୁ ଦେଖାଇ ପ୍ରତିବାଦ

ଭୁବନେଶ୍ୱର: ଯୋଗ୍ୟ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବଞ୍ଚିତ କରାଯାଇଥିବା ନେଇ ଖାଦ୍ୟ କମିସନ୍‌ଙ୍କ ଅଧ୍ୟକ୍ଷ ଚଳିତ ମାସ ପ୍ରଥମ ସପ୍ତାହରେ ସରକାରଙ୍କୁ ପତ୍ର ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ଏହି ପତ୍ରକୁ ନେଇ ସରକାରଙ୍କୁ ଭର୍ତ୍ସନା କରିଛି ବିଜେପି। ଦଳ ଅଭିଯୋଗ କରିଛି, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍‌ ପ୍ରକୃତ ପକ୍ଷେ ଗରିବ ଓ ଅସହାୟ ଓଡ଼ିଆଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ଏହା ରାଜନୈତିକ ଉଦ୍ଦେଶ୍ୟ ସର୍ବସ୍ୱ।

ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସମୀର ମହାନ୍ତି କହିଲେ, ଖାଦ୍ୟ କମିସନ୍‌ଙ୍କ ଅଧ୍ୟକ୍ଷ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଦୁର୍ଗମ ଓ ଜନଜାତି ଅଞ୍ଚଳରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ଟ୍ରାଇବାଲ୍‌ ସବ୍‌ପ୍ଲାନ୍‌ରେ ୧୧୯ଟି ଜନଜାତି ଉପଯୋଜନା ଅନ୍ତର୍ଭୁକ୍ତ ବ୍ଲକ୍‌ଗୁଡ଼ିକରେ ୭୦୯୧ ଯୋଗ୍ୟ ବିବେଚିତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ନାହିଁ। ଏହା ଛଡ଼ା ୨୦୧୮ ଜୁନ୍‌ ସୁଦ୍ଧା ଏହି ବ୍ଲକ୍‌ର ବିଡିଓମାନଙ୍କ ପାଖରେ ୧୫,୮୨୨ ଆବେଦନ ବିଚାର ନିମନ୍ତେ ପଡ଼ି ରହିଛି। ସେପ୍ଟମ୍ବର ୨୦୧୮ ସୁଦ୍ଧା ଏହି ଦରଖାସ୍ତ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। କମିସନ୍‌ ଅଧ୍ୟକ୍ଷ ଆହୁରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହେବାକୁ ଥିବା ୩ ଲକ୍ଷ ୨୮ ହଜାର ୮୫୯ ବ୍ୟକ୍ତିବିଶେଷଙ୍କୁ ଯଦି ସାମିଲ୍‌ କରାନ୍ତେ, ତାହା ହେଲେ ମାସକୁ ୪.୬ କୋଟି ଟଙ୍କା ହିସାବରେ ବର୍ଷକୁ ୫୫.୨୪ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଖର୍ଚ୍ଚ କମ୍‌ ହୋଇପାରିବ। ଏହି ସଞ୍ଚିତ ଅର୍ଥରେ ବିନା କେନ୍ଦ୍ରୀୟ ସହାୟତାରେ ୭୮୯ଟି ଅଙ୍ଗନବାଡ଼ି ଗୃହ ତିଆରି କରାଯାଇପାରିବ ବୋଲି ଅଧ୍ୟକ୍ଷ ଏହି ପତ୍ରରେ ଲେଖିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ଯଦି ରାଜ୍ୟ ସରକାର ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରନ୍ତି, ତା’ହେଲେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାକି ଥିବା ତାଲିକାରେ ଏହି ପରିବାରଗୁଡ଼ିକ ସାମିଲ୍‌ ହୋଇପାରିବେ। କିନ୍ତୁ ଖାଦ୍ୟ କମିସନ୍‌ଙ୍କ ପତ୍ର ପରିପ୍ରେକ୍ଷୀରେ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟ ସରକାର ଗରିବଙ୍କ ସ୍ୱାର୍ଥ ନୁହେଁ, ବରଂ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ଏକ ରାଜନୈତିକ ଚାଲ୍‌ ଭାବେ ବ୍ୟବହାର କରି ଲୋକଙ୍କୁ ଠକିବାର ହୀନ ପ୍ରୟାସ କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର