ବିଜେଡି ୪୦୦ରୁ ଅଧିକ ବୁଥ୍‌ ରିଗିଂ କରିଛି : ବିଜେପି

ସିଇଓଙ୍କ ନିକଟରେ ଫେରାଦ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ୩୫ରୁ ଅଧିକ ନିର୍ବାଚନମଣ୍ଡଳୀରେ ବି‌େଜଡି ୪୦୦ରୁ ଅଧିକ ବୁଥ୍‌ ରିଗିଂ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି। ଏହି ବୁଥ୍‌ଗୁଡ଼ିକରେ ସାନି ମତଦାନ କରିବାକୁ ବି ଦଳ ଦାବି କରିଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ନିର୍ବାଚନ ପୂର୍ବରୁ ସିଇଓଙ୍କୁ ରାଜ୍ୟରେ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକର ଏକ ତାଲିକା ବିଜେପି ପ୍ରଦାନ କରିଥିଲା। ଏହି ବୁଥ୍‌ଗୁଡ଼ିକର ଅବ୍ୟବସ୍ଥା ଓ ବିଜେଡିର ଗୁଣ୍ଡାମାନେ ଆସି ଜବରଦସ୍ତ ଭୋଟ୍‌ ହାତେଇବେ ବୋଲି ବିଜେପି ଯେଉଁ ଆଶଙ୍କା ପ୍ରକାଶ କରିଥିଲା, ତାହା ସତ ପ୍ରମାଣିତ ହୋଇଛି। ଶାସକ ଦଳ ବୁଥ୍‌ ଜବରଦଖଲ କରୁଥିବା ବେଳେ ପୁଲିସ୍ ନିରବଦ୍ରଷ୍ଟା ସାଜିଥିଲା। କିଛି ସ୍ଥାନରେ ପୋଲିଂ ଓ ପ୍ରିଜାଇଡିଂ ଅଫିସର୍‌ମାନେ ବିଜେଡି ଗୁଣ୍ଡାମାନଙ୍କୁ ପ୍ରଶ୍ରୟ ଦେଇଛନ୍ତି। କଟକ ଲୋକସଭା, କେନ୍ଦୁଝର, ଛେଣ୍ଡିପଦା, ସତ୍ୟବାଦୀ, ବ୍ରହ୍ମଗିରି, ଆଠଗଡ଼, ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍‌ ଜବରଦଖଲ ହୋଇଛି। ବଡ଼ମ୍ବା, ବାଙ୍କୀ, ବାରବାଟୀ, ସମ୍ବଲପୁର, ତେଲକୋଇ, ହିନ୍ଦୋଳ ଓ ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍‌ ବେଳେ ଟଙ୍କା ବଣ୍ଟାଯାଇଛି। ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀ ୩୮ ନମ୍ବର ବୁଥ୍‌ରେ ଭୋଟର୍‌ମାନଙ୍କୁ ମଦ ବଣ୍ଟାଯାଇଛି। ତେଣୁ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏହି ମତଦାନ କେନ୍ଦ୍ରଗୁଡ଼ିକୁ ଅତି ସମ୍ବେଦନଶୀଳ ଘୋଷଣା କରିବା ସହ ସେଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରି କଡ଼ା ନଜରରେ ସାନି ମତଦାନ କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ଗୋବିନ୍ଦ ଅଗ୍ରୱାଲ, ପ୍ରକାଶ ମିଶ୍ର, ରବି ଶଙ୍କର ପଟ୍ଟନାୟକ ଓ ମାନସ ବକ୍ସି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର