ହିଂସାର ବାତାବରଣ ସୃଷ୍ଟି କରିବାକୁ ବନ୍ଦ ପାଳନ: ବିଜେପି

ଭୁବନେଶ୍ବର: ୮ ତାରିଖରେ ଭାରତ ବନ୍ଦ ପାଳନକୁ ସମାଲୋଚନା କରିଛି ବିଜେପି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ସାରା ଦେଶର ଜନତା ନାଗରିକ ସଂଶୋଧନ ଆଇନକୁ ଅକୁଣ୍ଠ ସମର୍ଥନ କରିସାରିଛନ୍ତି। ଏହି ଆଇନ ସଂସଦରେ ପାରିତ ହେବା ବେଳେ ଯେଉଁ କିଛି ସ୍ଥାନରେ ମୁସଲ୍‌ମାନମାନେ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ସେମାନେ ବନ୍ଦ କରିସାରି‌େଲଣି। ସେମାନେ ବୁଝିସାରିଲେଣି ଯେ ନାଗରିକ ସଂଶୋଧନ ଆଇନରେ ସେମାନଙ୍କର କିଛି କ୍ଷତି ହେବ ନାହିଁ। କିନ୍ତୁ ବାମପନ୍ଥୀ, କଂଗ୍ରେସ ଓ ଅନ୍ୟ କିଛି ଦଳ ସାଧାରଣ ଲୋକଙ୍କ ମନରେ ମିଛ ଗୁଜବ ପ୍ରଚାର କରି ହିଂସା କରିବା ପାଇଁ ଉସୁକାଉଥିଲେ। ଏବେ ସେମାନେ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି। ଦେଶର ଜନତା ଏମାନଙ୍କର ଏହି ବନ୍ଦ ପାଳନକୁ ସମର୍ଥନ କରିବେ ନାହିଁ। କଂଗ୍ରେସ ଓ କମ୍ୟୁନିଷ୍ଟମାନେ ସବୁବେଳେ ବନ୍ଦ ପାଳନ ନାଁରେ ହିଂସାକାଣ୍ଡ କରନ୍ତି। ଓଡ଼ିଶାରେ ମଧ୍ୟ ଅନେକ ଥର ଏପରି ହୋଇଛି। ଏହି ବନ୍ଦ ପାଳନ କେବଳ ଦେଶରେ ହିଂସା ଓ ଭୟର ବାତାବରଣ କରିବାକୁ ଉଦ୍ଦିଷ୍ଟ। ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ବନ୍ଦ ପାଳନ କଂଗ୍ରେସ ଓ ବାମପନ୍ଥୀମାନଙ୍କ ହତାଶା ଭାବକୁ ଦେଖାଉଛି। ମାତ୍ର ୬ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ର ହିତରେ ଅନେକ ପଦକ୍ଷେପ ନେଇଛନ୍ତି। ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରଧାରାକୁ ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ନିଜର ପରିଚୟ ବଞ୍ଚାଇବା ପାଇଁ ସେମାନେ ଏହି ବନ୍ଦ ପାଳନ କରିଛନ୍ତି। ଓଡ଼ିଶା ପୁଲିସ୍‌ ଆଗୁଆ ପଦକ୍ଷେପ ନେଇ କିପରି ଦୁଇ ଦଳର ଗୁଣ୍ଡାମାନେ କାଲି ହିଂସା ‌ନ କରିବେ ସେଥିପ୍ରତି ସଜାଗ ରୁହନ୍ତୁ। ସାଧାରଣ ଲୋକ କେମିତି ଏମାନଙ୍କର ଗୁଣ୍ଡାରାଜରେ ପ୍ରଭାବିତ ହେବେ ନାହିଁ, ସେଥି ପାଇଁ ଧ୍ୟାନ ଦିଅନ୍ତୁ।

ସମ୍ବନ୍ଧିତ ଖବର