ରାଜ୍ୟ ସରକାର ନିଜ ବିରୋଧରେ ଏତଲା ଦିଅନ୍ତୁ : ବିଜେପି

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ପୁଣି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ଚାବି ହଜିବା ଏକ ଅପରାଧିକ ଷଡ଼ଯନ୍ତ୍ର ଓ ଏହା ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି। ଭାରତୀୟ ପିଙ୍ଗଳ କୋଡ୍‌ ୨୯୫(କ) ଅନୁଯାୟୀ ଏହା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରି ନିଜ ଉପରୁ ଧୂଳି ଝାଡ଼ିବାର ପ୍ରୟାସ ନ କରି ନିଜ ବିରୋଧରେ ଏତଲା ଦିଅନ୍ତୁ ବୋଲି ବିଜେପି ଆହ୍ଵାନ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଲେ, ଗତକାଲି ପୁରୀ ସାଂସଦ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ସାମାନ୍ୟ ବୋଲି କହି ବିଜେଡିର ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। ସରକାରଙ୍କ ଦାୟିତ୍ୱହୀନତାକୁ ଏଡ଼ାଇ ଯିବାକୁ ବିଜେଡିର ପ୍ରତିନିଧିମାନେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଲେ, ଦାନ ସୂତ୍ରରେ ଆସିଥିବା ଅଳଙ୍କାର ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିବା କଥା। କିନ୍ତୁ ଦାନ ସୂତ୍ରରେ ପାଇଥିବା ରତ୍ନ ଅଳଙ୍କାର ଓ ସୁନା ଗହଣାକୁ ରତ୍ନଭଣ୍ଡାରରେ ନ ରଖି ୧୯୮୩ରୁ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ନାଜିରଖାନାରେ ରଖାଯାଇଥିଲା। ଦୁଇ ତିନ ଦିନ ତଳେ ଏସ୍‌ବିଆଇ ଲକର୍‌ରେ ରଖିବାର ନିଷ୍ପତ୍ତି ନେବା ସିଧାସଳଖ ଆଇନ୍‌ର ଖୋଲା ଉଲ୍ଲଂଘନ। କେଉଁ ଆଇନ୍‌ ଅନୁସାରେ ରାଜ୍ୟ ସରକାର ଦାନସୂତ୍ରରେ ଆସିଥିବା ଅଳଙ୍କାରକୁ ନାଜିରଖାନାରେ ରଖିଥିଲେ, ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ରତ୍ନଭଣ୍ଡାର ଚାବି ହଜିବା ପରି ଏକ ସମ୍ବେଦନଶୀଳ ଘଟଣାକୁ ଏକ ସପ୍ତାହ ବିତିଥିଲେ ବି ମୁଖ୍ୟମନ୍ତ୍ରୀ ଏ ନେଇ କୌଣସି ମନ୍ତବ୍ୟ ନ ଦେବା ଦୁର୍ଭାଗ୍ୟଜନକ। ନିଜ ମୁଣ୍ଡରୁ ଦୋଷ ଛଡ଼େଇବାକୁ ନ୍ୟାୟିକ ତଦନ୍ତ କରାଇବା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଓ ବିଜେପି ନେତା ତଥା ଅବସରପ୍ରାପ୍ତ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର