ମେକ୍‌ ଇନ୍ ଓଡ଼ିଶାରେ ଓଡ଼ିଆ ଶିଳ୍ପପତିଙ୍କୁ ଅଣଦେଖା : ବିଜେପି

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଆ ଶିଳ୍ପୋଦ୍ୟୋଗୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ବିଜେପି। ଦଳର ସଭାପତି ବସନ୍ତ ପଣ୍ଡା କହିଛନ୍ତି, କୋଟି କୋଟି ଟଙ୍କାର ଏହି ଭବ୍ୟ ଆୟୋଜନ ନିଜର ପ୍ରାସଙ୍ଗିକତା ହରାଇଛି। ଯେଉଁ ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ତାହା ଏଥିରେ ପ୍ରତିଫଳିତ ହୋଇ ନାହିଁ। ରାଜ୍ୟରେ ଶିଳ୍ପର ବିକାଶ ଓ ଅଭିବୃଦ୍ଧି ହେବା ପରିବର୍ତ୍ତେ କିଛି ମୁଷ୍ଟିମେୟ ଶିଳ୍ପପତିମାନଙ୍କୁ ଡାକି ଏଠି ନିଜର ଆତ୍ମପ୍ରଚାର ଚାଲିଛି। ରାଜ୍ୟର ଶିଳ୍ପପତିଙ୍କୁ ନ ଡାକି ମେକ୍ ଇନ୍ ଓଡ଼ିାା କରିବାର ଉଦ୍ଦେଶ୍ୟ କ’ଣ, ତାହା ଜଣାପଡ଼ୁଛି। ଆଗାମୀ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ସଂଗ୍ରହ କରିବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଛି। ଓଡ଼ିଆ ଶିଳ୍ପପପତିମାନଙ୍କୁ ଏଥିରେ ଆଦୌ ପ୍ରାଧାନ୍ୟ ଦିଆଯାଇ ନାହିଁ। ଏପରିକି ଯୁବ ଶିଳ୍ପପତିମାନଙ୍କୁ ଏଥିରେ ଭାଗ ନେବାର ସୁଯୋଗ ମିଳିନି। ପୂର୍ବରୁ ୨୦୧୬ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣରେ ସମାନ ଢଙ୍ଗରେ ଓଡ଼ିଆ ଶିଳ୍ପପତିଙ୍କୁ ଅଣଦେଖା କରାଯାଇଥିଲା। ଯାହାର ଫଳ ସ୍ବରୂପ ମାତ୍ର ୮ ପ୍ରତିଶତ ପୁଞ୍ଜିନିବେଶ ହୋଇପାରିଲା। ତଥାପି ସରକାର କିଛି ଶିଖିଲେନି। ରାଜ୍ୟ ସରକାରଙ୍କ ଏହି ଓଡ଼ିଆ ବିରୋଧୀ ମନୋଭାବ ଓଡ଼ିଶା ପାଇଁ ହାନିକାରକ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର