କଳା ଟଙ୍କାର ମୁଖା ଖୋଲିଛି: ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ପକ୍ଷରୁ ବିମୁଦ୍ରାକରଣର ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ବିିମୁଦ୍ରାକରଣକୁ ସମର୍ଥନ କରି ଦଳ ପକ୍ଷରୁ ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହାକୁ ଆରମ୍ଭ କରିଥିଲେ। ଏଥିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବିମୁଦ୍ରାକରଣ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଯୋଗୁଁ କଳା ଟଙ୍କାର ମୁଖା ଖୋଲିବା ସହ ବିଶ୍ୱରେ ଭାରତକୁ ଏକ ଅର୍ଥନୈତିକ ଶକ୍ତି ଭାବେ ଠିଆ ହେବାର ରାସ୍ତା ପ୍ରଶସ୍ତ କରିଛି ବୋଲି ବିଜେପି ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଯାଇଛି।

ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ବିମୁଦ୍ରାକରଣ ଦ୍ୱାରା କଳାଧନ ଓ ଟିକସ ଫାଙ୍କିର କଡ଼ା ଗଣ୍ଡା ହିସାବ ମିଳୁଛି। ୩.୬୮ ଲକ୍ଷ କୋଟି ଟଙ୍କା ଏବଂ ୨୩ ଲକ୍ଷ ଆକାଉଣ୍ଟ୍‌ ଯାଞ୍ଚ୍‌ ପ୍ରକ୍ରିୟାରେ ଅଛି। ଏହି ରାଶି ଛଡ଼ା ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାଗୁଡ଼ିକ ୪.୭ ଲକ୍ଷ ସନ୍ଦିଗ୍ଧ ନେଣଦେଣର ଯାଞ୍ଚ୍‌ କରୁଛନ୍ତି। ୨୯,୨୧୩ କୋଟି ଟଙ୍କାର ଅଘୋଷିତ ଆୟ ଠାବ କରାଯିବା ସହ ସ୍ୱୀକାରୋକ୍ତି ମିଳିଛି। ବିମୁଦ୍ରାକରଣ ଯୋଗୁଁ ଦେଶର କେତେ ଲୋକଙ୍କ ପାଖରେ ଓ କେଉଁ ବର୍ଗର ଲୋକଙ୍କ ନିକଟରେ କେତେ ଅର୍ଥ ଥିଲା, ତାହାର ସ୍ପଷ୍ଟ ଚିତ୍ର ଉପସ୍ଥାପିତ ହୋଇଛି। ୧.୫ ଲକ୍ଷ ଲୋକ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ଜମା କରିଛନ୍ତି। ଏହା ମୋଟ୍‌ ଜମାର ଏକ ତୃତୀୟାଂଶ ଅଟେ। ବିମୁଦ୍ରାକରଣ ଯୋଗୁଁ ୨.୨୪ ଲକ୍ଷ ସେଲ୍‌ କମ୍ପାନି ଜବତ ହୋଇଛନ୍ତି। ଏହି କମ୍ପାନିଗୁଡ଼ିକ ମଧ୍ୟରୁ ଅନେକଙ୍କର ୧୦୦ରୁ ଅଧିକ ଆକାଉଣ୍ଟ୍‌ ଥିବା ଜଣାପଡ଼ିଛି ଏବଂ ବିମୁଦ୍ରାକରଣ ସହ ଏହି ବ୍ୟାଙ୍କ ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରିଦେବାକୁ ସେମାନେ ଚେଷ୍ଟା କରିଛନ୍ତି। ବିମୁଦ୍ରାକରଣର ଗୋଟିଏ ବର୍ଷ ପରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରୁଥିଲା ବେଳେ ଏହି ଦିନକୁ କଂଗ୍ରେସ କଳା ଦିବସ ଭାବେ ପାଳନ କରୁଛି। ଦେଶକୁ କଳାଧନ ମୁକ୍ତ କରିବାକୁ ଲଢ଼େଇରେ କଂଗ୍ରେସ କଳାଧନ ସମର୍ଥନରେ ଠିଆ ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର