ସ୍ୱତନ୍ତ୍ର ଅଡିଟ୍‌ ଦାବି କଲା ବିଜେପି

‘ବିଜୁ ଯୁବ ବାହିନୀ’, ‘ଆମ ଗାଁ ଆମ ବିକାଶ’ରେ ଆର୍ଥିକ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ବିଜୁ ଯୁବ ବାହିନୀ ଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ଶାସକ ଦଳ ପକ୍ଷରୁ ବ୍ୟାପକ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଛି ବିଜେପି। ଏହାର ସ୍ୱତନ୍ତ୍ର ଅଡିଟ କରିବାକୁ ଦାବି କରି ଦଳ ପକ୍ଷରୁ ଏକ ସ୍ମାରକପତ୍ର ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌(ଏଜି)ଙ୍କୁ ପ୍ରଦାନ କରାଯାଇଛି। ବିଜେପି ପକ୍ଷରୁ କୁହାଯାଇଛି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ଶାସନ କ୍ଷମତାର ଅପବ୍ୟବହାର କରି ନିଜ ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଅର୍ଥ ଖର୍ଚ୍ଚ କରୁଛି। କେବଳ ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ବିଧାନର ଆଇନ୍‌କୁ ନିଜ ମନ ଇଚ୍ଛା ବଦଳାଇ ‘ଆମ ଗାଁ ଆମ ବିକାଶ’ ଓ ‘ବିଜୁ ଯୁବ ବାହିନୀ’ ପରି ଯୋଜନା ମାଧ୍ୟମରେ ବିପୁଳ ରାଜସ୍ୱ ଖର୍ଚ୍ଚ ହେଉଛି। ଏପରିକି ପଞ୍ଚାୟତ କ୍ଷମତାକୁ ଛଡ଼ାଇ ନେଇ ବିଜେଡି ରାଜ୍ୟ ସଚିବାଳୟରୁ ଅସାମ୍ବିଧାନିକ ଭାବେ ଦଳୀୟ ସ୍ୱାର୍ଥ ଅନୁଯାୟୀ ଯୋଜନା ପ୍ରଣୟନ କରୁଛି। ବିଜୁ ଯୁବ ବାହିନୀ ଏବେ ବିଜେଡିର ଏକ ମୋର୍ଚ୍ଚା ଭାବେ କାମ କରୁଛି। ଏଥି ପାଇଁ ବରାଦ ହୋଇଥିବା ୪୫୦ କୋଟି ଟଙ୍କାକୁ ଦଳୀୟ ପ୍ରଚାର ପାଇଁ ବିଜ୍ଞାପନ, ବିିଭିନ୍ନ ସଭା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଆମୋଦ ପ୍ରମୋଦ ପାଇଁ ଖର୍ଚ୍ଚ କରାଯାଉଛି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ବିଜେଡି ନିଜ ଦଳୀୟ କାର୍ଯ୍ୟକ୍ରମ ଭାବେ ଆୟୋଜନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ସ୍ତରରେ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଯୋଜନାରେ ଯେଉଁ ଅର୍ଥ ବଣ୍ଟନ କରାଯାଉଛି, ତାହାର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ନାହିଁ। ତେଣୁ ଉଭୟ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ବିଜେପି ପ୍ରତିନିଧି ଦଳ ଏଜିଙ୍କ ପାଖରେ ଦାବି କରିଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ବିଧାୟକ ବିଭୂତି ହରିଚନ୍ଦନ, ଦୁର୍ଯ୍ୟୋଧନ ମାଝୀ, ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନୀତେଶ ଗଙ୍ଗଦେବ ଓ ଗୋବିନ୍ଦ ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର